ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଣ୍ଠୁଏ ପାଣି
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ତଥା ବନ୍ତ ସଦର ମହକୁମାସ୍ଥିତ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖାଯାଇଛି । ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମେତ କର୍ମଚାରୀ ମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ଦେଖାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅପରପକ୍ଷେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଦୀର୍ଘ ବର୍ଷ ହେବ ପ୍ରତିଷ୍ଠା ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦ୍ୟାବଧି କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏରିଆ ହସ୍ପିଟାଲରେ ପରିଣତ କରିବା ପାଇଁ ଦୀର୍ଘ ବର୍ଷ ହେବ କଂଗ୍ରେସ, ସିପିଆଇ ଓ ବିଜେପି ଦଳ ସମେତ ବୁଦ୍ଧିଜୀବି ମାନେ ଦାବୀ କରିଆସୁଛନ୍ତି । ଏନେଇ ବହୁବାର ଡାକ୍ତରଖାନା ସମ୍ମୁଖରେ ଧାରଣା, ଅନଶନ ଓ ରାସ୍ତାରୋକ ପରି ଘଟଣା ଯାଇଛି । ହେଲେ ରାଜ୍ୟ ସରକାର ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିସିନ୍ ବିଭାଗରେ ସ୍ପେଶିଆଲିଷ୍ଟ ଡାକ୍ତର, ଶିଶୁ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା, ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା, କୁଶଳୀ ଷ୍ଟାଫ ନର୍ସଙ୍କ ୨୪ ଘଣ୍ଟିଆ ନିଯୁକ୍ତି, ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଓ ଆଲୋକୀକରଣ ବ୍ୟବସ୍ଥା, ରୋଗୀଙ୍କ ପାଇଁ ସ୍ଥାୟୀ ଓ ଉନ୍ନତମାନର ଶୌଚାଳୟ, ଆବଶ୍ୟକ ସଂଖ୍ୟକ ରୋଗୀ ଶର୍ଯ୍ୟା, ଅକ୍ସିଜେନ ସେବା, ଜଳ ନିଷ୍କାସନ, ପାର୍କିଂ ବ୍ୟବସ୍ଥା ନଥିବା ଜଣାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବନ୍ତ, ପଧାନପଡା, ଟିଲୋ, ନିଳୋକ, ବସନ୍ତିଆ ସମେତ ବହୁ ପଞ୍ଚାୟତର ରୋଗୀ ମାନେ ଦୈନନ୍ଦିନ ଚିକିତ୍ସା ପାଇଁ ଆସିଥାନ୍ତି । ମାତ୍ର ଚିକିତ୍ସା ସେବା ଠିକ୍ ନଥିବାରୁ ସାଧାରଣ ରୋଗୀ ମାନେ ବାଧ୍ୟ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥାନ୍ତି । ବିଶେଷକରି ବର୍ଷା ଦିନେ ଡାକ୍ତରଖାନା ପରିସରରେ ପାଣି ଜମି ରହିବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥାଏ । ଏବେ ଲଘୁଚାପ ବର୍ଷାରେ ଡାକ୍ତରଖାନା ପରିସର ବେହାଲ ହୋଇଥିବା ଦେଖାଯାଇଛି । ରୋଗୀ ଓ କର୍ମଚାରୀ ମାନେ ଆଣ୍ଠୁଏ ଓ ଅପରିଷ୍କାର ପାଣି ଭିତରେ ବହୁ କଷ୍ଟରେ ଡାକ୍ତରଖାନାକୁ ଯାଉଥିବା ଦେଖାଯାଇଛି । ରାଜ୍ୟ ସରକାର ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।