ବନ୍ତ ବ୍ଲକରେ କୌଣସି ବିକାଶ ହୋଇନାହିଁ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ତହସିଲ ରୋଡସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସଙ୍ଗଠନ ମହାମନ୍ତ୍ରୀ ପଞ୍ଚାନନ ରାଉତ ଯୋଗ ଦେଇ ଭଦ୍ରକ ଜିଲା ବିକାଶ କ୍ଷେତ୍ରରେ ବିଜେଡି ସରକାର ବାଧକ ସାଜିଛି । ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଜେଡି ସରକାର ଗୁରୁତ୍ୱ ଦେଇନାହିଁ । ସେହିପରି ବନ୍ତରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ, ଦମକଳ କେନ୍ଦ୍ର, ଟ୍ରେଜେରୀ ଅଫିସ ପ୍ରତିଷ୍ଠା କ୍ଷେତ୍ରରେ ସ୍ଥାନୀୟ ବିଧାୟକ ନିରବ ଦ୍ରଷ୍ଟା ସାଜିଛନ୍ତି । କେବଳ ଫମ୍ପା ଭାଷଣ ମାଧ୍ୟମରେ ରାଜନୀତି ଚାଲିଛି । କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତିକରଣ ପାଇଁ ପ୍ରତି ଗ୍ରାମକୁ ପକ୍କା ରାସ୍ତାର ବ୍ୟବସ୍ଥା କରିଥିବା ବେଳେ ସମସ୍ତ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ଗୁହାଳ ଘର, ରାସନ ସାମଗ୍ରୀ ଓ ରନ୍ଧନ ଗ୍ୟାସର ବ୍ୟବସ୍ଥା କରିଛନ୍ତି । ମାତ୍ର କେନ୍ଦ୍ର ସରକାରଙ୍କର ଏହି ଯୋଜନାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି । ଫଳରେ କୋଟି କୋଟି ଟଙ୍କାର କାର୍ଯ୍ୟ ରାଜ୍ୟରେ ହୋଇପାରୁ ନାହିଁ । ରାଜ୍ୟ ସରକାର ପାତର ଅନ୍ତର କରି ହିତାଧିକାରୀ ଚୟନ କରୁଛନ୍ତି । ବୈତରଣୀ ନଦୀ ଶର୍ଯ୍ୟାରେ ଏବେ ବାଲି ମାଫିଆଙ୍କ ରାଜ ଚାଲିଛି । ବୈତରଣୀ ନଦୀର ଅର୍ଥ ସେହି ନଦୀରେ ଖର୍ଚ୍ଚ ହୋଇପାରୁନାହିଁ । ରାଜ୍ୟରେ ୫ଶହ ଲୋକ ଥିବା ଗ୍ରାମକୁ ରାସ୍ତା ନିମାଣ ହୋଇପାରୁନାହିଁ । ଭଦ୍ରକ ସହରର ବିକାଶ କିପରି ହେବ ସେନେଇ ପଦକ୍ଷେପ ନିଆଯାଉନାହିଁ । ରେଲୱେ ଓଭର ବ୍ରିଜ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଂଜୁର କରିଛନ୍ତି । କେନ୍ଦୁଆପଦା ଷ୍ଟେସନରେ ୨୦ ଲକ୍ଷ ଟଙ୍କା ବିନିମୟରେ ୱାଇଫାଇ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ୨୦୨୧ ମସିହାରେ ଫ୍ଲାଇ ଓଭର ବ୍ରିଜ୍ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିଲା । ଏଠାକାର ରାଜ୍ୟ ସରକାର ଜାଗା ଯୋଗାଇ ଦେଇ ପାରିଲେ ନାହିଁ । ଜାନୁଆରୀ ୧୫ ମଧ୍ୟରେ କେନ୍ଦୁଆପଦା ଫ୍ଲାଇ ଓଭର ବ୍ରିଜ୍ କାର୍ଯ୍ୟ ପାଇଁ ଟେଣ୍ଟର ହୋଇ ଯିବ । ରାଜ୍ୟ ସରକାର ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଶିକ୍ଷକ ଓ ଅଧ୍ୟାପକ ଯୋଗାଇ ଦେଉନାହାନ୍ତି । ରାଜ୍ୟ ସରକାର ଓଡିଶାର ଯୁବ ସମାଜକୁ ନଷ୍ଟ କରୁଛନ୍ତି । ବ୍ଲକ ଓ ଜିଲାରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନା ସେବା ସଂପୂର୍ଣ୍ଣ ଫେଲ ହୋଇଛି ବୋଲି ଶ୍ରୀ ରାଉତ ଅଭିଯୋଗ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସୁଧାକର ଧଳ, ବାମଦେବ ଦାସ ଉପସ୍ଥିତ ଥିଲେ ।