ବନ୍ତ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇ ୫୬ଟି ଅଭିଯୋଗର ଶୁଣାଣୀ କରିଥିଲେ । ଅଭିଯୋଗ ମଧ୍ୟରେ ୫୦ଟି ବ୍ୟକ୍ତିଗତ ସମସ୍ୟା ଓ ୬ଟି ସାମୁହିକ ସମସ୍ୟା ଅନ୍ତର୍ଭୁକ୍ତ ଥିଲା । ଗୁରୁତର ରୋଗର ବୃହତ ଚିକିତ୍ସା ପାଇଁ ୫ ଜଣ ଆବେଦକାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୭୫ ହଜାର ଓ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲାପାଳ ମଞ୍ଜୁର କରିଥିବା ଜଣାଯାଇଛି । ସେଥିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚକରାପାଢୀ ଗ୍ରାମର ପଦମ ବେହେରାଙ୍କର କିଡ୍‌ନୀ ପ୍ରତିରୋପଣ ପାଇଁ ୩୦ ହଜାର, ଫୁସଫୁସ୍ ସଂକ୍ରମଣ ରୋଗର ଶୀକାର ହୋଇଥିବା ଗୋବିନ୍ଦପୁର ଗ୍ରାମର ନାରାୟଣ ଜେନାଙ୍କୁ ୨୦ ହଜାର, କିଡ୍‌ନୀ ଜନିତ ରୋଗ ପାଇଁ ବୁଲୁ ଜେନାଙ୍କୁ ୧୦ ହଜାର, କର୍କଟ ରୋଗରେ ପିଡିତ ନାହୋ ଗ୍ରାମର ମୋହନ ମଲ୍ଲିକଙ୍କୁ ୧୫ ହଜାର, ବ୍ରେନ୍ ଟ୍ୟୁମର ଚିକିତ୍ସା ପାଇଁ ରାମଚନ୍ଦ୍ରପୁର ଗ୍ରାମର ଜ୍ୟୋତି ଜେନାଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଅନ୍ତର୍ଭୁକ୍ତ ଥିଲା । ଆର୍‌.ଡି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ମଧ୍ୟରେ ଖରାପ ହୋଇଯିବା, ଜବରଦଖଲ ସମସ୍ୟା, ବିଧବା ଓ ଦିବ୍ୟାଙ୍ଗ ଭତ୍ତା, ଆବାସ ଯୋଜନା, ଏସ୍‌.ଏସ୍‌.ଜି ମାନଙ୍କ ମନମୁଖୀ କାର୍ଯ୍ୟ ଆଦି ସଂପର୍କରେ ଅଭିଯୋଗ ଆସିଥିଲା । ବାପା ନିଜର ଝିଅ ଠାରୁ ୨୦ ଲକ୍ଷ ଟଙ୍କା ଧାର ନେଇ ପରିଶୋଧ ନକରିବାରୁ ତାଙ୍କ ଜ୍ୱାଇଁ ଝିଅ ଏବଂ ଝିଅର ପିଲା ମାନଙ୍କୁ ଘରୁ ବାହାର କରିଦେବା ଭଳି ଏକ ପାରିବାରିକ ସମସ୍ୟା ଜନିତ ଘଟଣାର ସମାଧାନ ପାଇଁ ଅଭିଯୋଗ ଆସିଥିଲା । ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଉପଜିଲାପାଳ ମନୋଜ ପାତ୍ର, ଅତିରିକ୍ତ ଏସ୍‌.ପି ବାମଦେବ ସିଂ, ଅତିରିକ୍ତ ସି.ଡି.ଓ କୁଶଳ ଚନ୍ଦ୍ର ନାଏକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ଅଙ୍କିତା ବାରିକ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କ ସମେତ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆସିଥିବା ସମସ୍ତ ଅଭିଯୋଗ ଗୁଡିକର ସମାଧାନ ପାଇଁ ଜିଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡେପୁଟି କଲେକ୍ଟର ରାଜୀବ ହାଁସଦା ଅଭିଯୋଗ ଉପସ୍ଥାପନା ଏବଂ ଲିସାରାଣୀ ରାଉତ ଅଭିଯୋଗ ପଞ୍ଜୀକରଣ କାର୍ଯ୍ୟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ