ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳନ : ସାବିତ୍ରୀ ଆଡିରେ ବ୍ରତଧାରୀଙ୍କ ଭିଡ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ସୋମବାର ସମଗ୍ର ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଥିବା ବେଳେ ବନ୍ତ ବ୍ଲକର ସମସ୍ତ ପୁରପଲ୍ଲୀରେ ଏହି ବ୍ରତ ଯଥାରୀତି ପାଳନ ହୋଇଯାଇଛି । ସକାଳ ଠାରୁ ବ୍ରତଧାରୀ ମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏହି ବ୍ରତ ପାଳନ କରିଥିଲେ । ଗ୍ରାମର କେନ୍ଦ୍ରସ୍ଥଳ, ପୁରାତନ ବୃକ୍ଷମୂଳ ଓ ତୁଳସୀ ଚଉରା ମୂଳରେ ବ୍ରତଧାରୀ ମାନେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବ୍ଲକର ବନ୍ତ, ଟିଲୋ, ପଧାନପଡା, ନିଳୋକ, ସେଣ୍ଢତୀରା, କେନ୍ଦୁଆପଦା, ବସନ୍ତିଆ ସମେତ ୨୫ଟି ପଞ୍ଚାୟତରେ ଏହି ବ୍ରତ ପାଳନ ହୋଇଯାଇଛି । ଅପରପକ୍ଷେ ଭଦ୍ରକ ଜିଲ୍ଲାର ଏକମାତ୍ର ସାବିତ୍ରୀ ପୀଠ ତଥା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ତୋଟାସାହି ସ୍ଥିତ ମା’ ସାବିତ୍ରୀଙ୍କ ପୀଠରେ ଆଜି ହଜାର ହଜାର ବ୍ରତଧାରୀଙ୍କର ଭିଡ ଦେଖିବାକୁ ମିଳିଥିଲା । ବ୍ଲକର ବିିଭିନ୍ନ ସ୍ଥାନରୁ ହଜାର ହଜାର ମହିଳା ମାନେ ଏଠାରେ ରୁଣ୍ଡିଭୂତ ହୋଇ ସତ୍ୟନିଷ୍ଠ ଭାବରେ ବ୍ରତ ପାଳନ କରିଥିଲେ । ଏହି ପୀଠରେ ଥିବା ମା’ଙ୍କ ପ୍ରସ୍ତର ମୂର୍ତ୍ତି ସମଗ୍ର ଭଦ୍ରକ ଜିଲ୍ଲାର ବିରଳ ଅଟେ । ପ୍ରତିବର୍ଷ ପରି ଚଳିତ ବର୍ଷ ଉକ୍ତ ପୀଠକୁ ଭଦ୍ରକ ଜିଲ୍ଲା ସମେତ ପଡୋଶୀ ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର ଆଦି ଜିଲ୍ଲାରୁ ଭକ୍ତଙ୍କ ସମାଗମ ହୋଇଥିଲା । ବ୍ରତଧାରୀ ମାନଙ୍କୁ ସେବା ଯୋଗାଇ ଦେବା ଉଦ୍ଦେଶ୍ୟ ରେ ପୂଜା କମିଟି ସମେତ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଜଳ ଛତ୍ର ଖୋଲା ଯାଇଥିଲା । ପୂଜା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅଧିକ ପୂଜକଙ୍କୁ ନିୟୋଜିତ କରାଯାଇ ଥିଲା । ଏଥିସହ ବ୍ରତଧାରୀ ମହିଳା ମାନଙ୍କ ପାଇଁ ବିଶ୍ରାମାଗାରର ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ଭୋର ୪ଟା ୩୦ମିନିଟ୍ ସମୟରେ ମା’ଙ୍କୁ ପବିତ୍ର ଜଳରେ ସ୍ନାନ କରାଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା । ପରେ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମା’ଙ୍କ ଦ୍ୱାର ଖୋଲା ଯାଇଥିଲା । ପୂଜା କାର୍ଯ୍ୟରେ ତୋଟାସାହି, ପାରାବନ୍ଧ, ଠାକୁର ଗଢିଆ, ମଂଗୁଲି, ଓଡଙ୍ଗ ସମେତ ଆଖପାଖ ଗ୍ରାମର ଲୋକମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ