ବନ୍ତ ବ୍ଲକ ରିଟେଲର ସଂଘର ବୈଠକ: ମାଗଣା ଚାଉଳ ବଣ୍ଟନର ପାରିଶ୍ରମିକ ପ୍ରଦାନ କରିବାକୁ ଦାବୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଠାରେ ବ୍ଲକ ରିଟେଲର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୂର୍ଯ୍ୟମଣି ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂପାଦକ ହରହର ମହାନ୍ତି, ବାଇଧର ରାଜ, ଗୟାଧର ସାହୁ, ପର୍ଶୁରାମ ପାଣିଗ୍ରାହୀ, ଲକ୍ଷ୍ମୀଧର ବେହେରା, କରୁଣାକର ଦାସ, ହରିହର ରଥ, ପ୍ରମୋଦ ବିଶ୍ୱାଳ, ଭବେଶ କୁମାର ସାହୁ, ସୁକାନ୍ତ ଦାସଙ୍କ ସମେତ ୨୫ ପଞ୍ଚାୟତର ପ୍ରାୟ ୫୦ ଜଣ ରିଟେଲର ଯୋଗ ଦେଇଥିଲେ । ଗତ ୨୦୨୦ ମସିହା ଏପ୍ରିଲ ଠାରୁ ନଭେମ୍ବର ପର୍ଯ୍ୟନ୍ତ ୮ ମାସ ଧରି ରିଟେଲର ମାନେ କୋଭିଡ୍ ସମୟରେ ନିଜର ଜୀବନକୁ ବିପନ୍ନ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଉଟି ସାମଗ୍ରୀ ବଣ୍ଟନ କରିଥିଲେ । ସେହିପରି ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ବେଳେ ରିଟେଲର ମାନେ ମେ ଠାରୁ ନଭେମ୍ବର ପର୍ଯ୍ୟନ୍ତ ୭ ମାସ ମାଗଣା ଚାଉଳ ବଣ୍ଟନ କରିବାକୁ ନିର୍ଦ୍ଦେଶ ଥିବା ବେଳେ ସେମାନେ ଅଗଷ୍ଟ ପର୍ଯ୍ୟନ୍ତ ମାଗଣା ଚାଉଳ ବଣ୍ଟନ କରିସାରିଛନ୍ତି । ଏପରିପେକ୍ଷୀରେ ସେମାନଙ୍କୁ ମାଗଣା ଚାଉଳ ବଣ୍ଟନର ବକେୟା ପାରିଶ୍ରମିକ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ । ସେହିପରି ପିଓଏସ୍ ମେସିନର ବ୍ୟବହାରିକ ଖର୍ଚ୍ଚର ଅର୍ଥ ଏପର୍ଯ୍ୟନ୍ତ ସେମାନଙ୍କୁ ମିଳିନାହିଁ । ଫଳରେ ରିଟେଲର ମାନେ ବହୁଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ଗତ ଫେବୃଆରୀ ମାସର ଗହମ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ଗତ ଜୁଲାଇ ଓ ଅଗଷ୍ଟ ମାସର ୧୦ ପ୍ରତିଶତ କମ୍ ଆସିଥିବା ଗହମ ଯଥାଶିଘ୍ର ଯୋଗାଇ ଦେବା ନେଇ ଦାବୀ ହୋଇଥିଲା । ଅପରପକ୍ଷେ ରିଟେଲର ମାନେ ଖାଉଟି ସାମଗ୍ରୀ ବଣ୍ଟନ ସହିତ ଖାଉଟି ମାନଙ୍କ ଠାରୁ ଆଧାର କାର୍ଡ, ମୋବାଇଲ ନମ୍ବର ସଂଗ୍ରହ, ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଓ ଜାତିଗତ ପ୍ରମାଣ ଫର୍ମ ସଂଗ୍ରହ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସୁଛନ୍ତି । ଏପରିସ୍ଥଳେ ସେମାନଙ୍କୁ ନିଜର ପାରିଶ୍ରମିକରୁ ବଞ୍ôଚତ କରାଯାଉଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟ ସରକାର ରିଟେଲର ମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ବିହିତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି ।


