ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ତୃତୀୟ ଲହରରେ କରୋନା ସଂକ୍ରମଣ ବେଳେ ସରକାରଙ୍କ ଅଫଲାଇନ ପରୀକ୍ଷା ନିଷ୍ପତ୍ତି ବିରୋଧରେ ବାଲେଶ୍ୱରର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଗୁରୁବାର ବିସ୍ଫୋରକ ରୂପ ନେଇଥିଲା । ଅଲ ଓଡ଼ିଶା ଷ୍ଟୁଣ୍ଡେଣ୍ଟ ୟୁନିୟନ (ନିଖିଳ ଓଡ଼ିଶା ଛାତ୍ର ସଂଘ) ପକ୍ଷରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ମହାବିଦ୍ୟାଳୟରୁୁ ବହୁ ଯୁକ୍ତଦୁଇ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସହରର ଷ୍ଟେସନ ଛକଠାରେ ରାସ୍ତା ଉପରେ ବସିରହି ସରକାରଙ୍କ ପରୀକ୍ଷା ନିଷ୍ପତ୍ତିକୁ ସେମାନେ ଦୃଢ଼ ବିରୋଧ କରିଥିଲେ । ସେମାନେଙ୍କ କହିବା ଅନୁସାରେ କରୋନା ଯୋଗୁଁ ଦୀର୍ଘ ଦେଢ଼ବର୍ଷ ଧରି କଲେଜ ବନ୍ଦ ରହିବା ଓ ୭୯ ଦିନ ଖୋଲା ଯାଇଥିଲା । ଅଧ୍ୟାପକ ଅଭାବ ଯୋଗୁଁ ପ୍ରାୟ ଅଧିକାଂଶ କଲେଜରେ ୭୯ ଦିନ ସମ୍ପୂର୍ଣ୍ଣ ପାଠପଢ଼ା ହୋଇପାରି ନାହିଁ । ପରବର୍ତ୍ତୀ ସମୟରେ ଅନଲାଇନ କ୍ଲାସ ହୋଇଥିିଲେ ବି ଇଣ୍ଟର ନେଟ ଓ ଇଲେକ୍ଟ୍ରି ସମସ୍ୟା ଯୋଗୁଁ ୯୦ ପ୍ରତିଶତ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଏଭଳି ସ୍ଥିତିରେ ସେମାନେ ପରୀକ୍ଷାରେ କ’ଣ ଲେଖିବେ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି । ଗତବର୍ଷ ଭଳି ପ୍ରଥମ ବର୍ଷର ଶ୍ରେଣୀ ପରୀକ୍ଷା ମାର୍କ ଆଧାରରେ ଚଳିତ ବର୍ଷ ଫଳ ପ୍ରକାଶ ପାଇଁ ସେମାନେ ଦାବି କରିଥିଲେ । ତେବେ ଛାତ୍ରଛାତ୍ରୀମାନେ ଦୀର୍ଘ ୩ଘଣ୍ଟା ଷ୍ଟେସନ ଛକରେ ବସି ରହିବା ଫଳରେ ଟ୍ରାଫିକ ସମସ୍ୟା ତୀବ୍ର ହୋଇଥିଲା । ମାତ୍ର ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପରିସ୍ଥିତି ଆୟତ୍ତ କରିଥିଲେ । ଅନ୍ୟପକ୍ଷରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଦର ଅତିରିକ୍ତ ତହସିଲଦାର ଧାରଣା ସ୍ଥଳରେ ପହଞ୍ଚି ଛାତ୍ର ସଂଗଠନର କର୍ମକର୍ତ୍ତାଙ୍କଠାରୁ ସ୍ମାରକପତ୍ର ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନେ ଷ୍ଟେସନଛକ ଧାରଣାରୁ ଜିଲାପାଳଙ୍କ ଅଫିସ ଆଗରେ ରାସ୍ତାରୋକ କରିଥିଲେ । ପରୀକ୍ଷା ବନ୍ଦ ଦାବିରେ ସଂଗଠନର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟ ସରକାରଙ୍କୁ ପଠାଇବା ସହ ଭିଡିଓ କନଫାରେନ୍ସିଂ ଜରିଆରେ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବେ ବୋଲି ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିବା ପରେ ଛାତ୍ରଛାତ୍ରୀମାନେ ରାସ୍ତାରୋକରୁ ହଟିଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ଛାତ୍ରନେତା ଅର୍ପିତ ପତି, ଚିନ୍ମୟ ପାଢ଼ୀ, ପ୍ରବୀଣ ଶର୍ମା, ଦେବ ଆରିୟନ, ସୁମଙ୍ଗଲ ପଣ୍ଡା, ମୋନାଲିସା ରଣା, ଦୀପେନ୍ଦୁ ମଣ୍ଡଳ, ଡଲି ମହନ୍ତ ପ୍ରମୁଖ ପରିଚାଳନା କରିଥିଲେ ।


