ବନ୍ଦ ରହିବ କାମାକ୍ଷା ଦେବୀଙ୍କ ମନ୍ଦିର
ଆସାମ : ପ୍ରସିଦ୍ଧ କାମାକ୍ଷା ଦେବୀଙ୍କ ମନ୍ଦିରରେ ଜୁନ୍ ୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଗୌହ୍ବାଟୀର ନୀଳାଚଳ ପର୍ବତ ଉପରେ ଅବସ୍ଥିତ ପ୍ରସିଦ୍ଧ କାମାକ୍ଷା ମନ୍ଦିର ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ରହିଛି। ଏନେଇ ସୂଚନା ଦେଇଛନ୍ତି ମନ୍ଦିର ପ୍ରଶାସନ। କେନ୍ଦ୍ର ଓ ଆସାମ ସରକାର କରୋନା ମହାମାରୀ ମଧ୍ୟରେ ଜୁନ୍ ୮ରୁ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ମନ୍ଦିର ପ୍ରଶାସନ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ମନ୍ଦିର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି। ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ଯେ, ଆସାମରେ ଦ୍ରୁତ ଗତିରେ କରୋନା ମହାମାରୀ ବଢିବାରେ ଲାଗିଛି। ଏଥିପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ସାର୍ବଜନିକ ପୂଜା ପାଇଁ ମନ୍ଦିର ଖୋଲାଯାଇପାରିବ ନାହିଁ । ମନ୍ଦିର ବନ୍ଦ ରହୁଥିବାରୁ ୧୭ ଶତାବ୍ଦୀର ପରେ ମନ୍ଦିରର ଇତିହାସରେ ପ୍ରଥମ ଥର ପାଇଁ ବାର୍ଷିକ ଅମ୍ବୁବାଚୀ ମେଳା ଚଳିତ ବର୍ଷ ଆୟୋଜିତ କରାଯିବ ନାହିଁ । ଚଳିତ ବର୍ଷ ଏହି ମେଳା ଜୁନ୍ ୨୨ରେ ହେବାକୁ ଥିବାବେଳେ ଜୁନ୍ ୩୦ ପର୍ଯ୍ୟନ୍ତ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦରହିବ । ମାର୍ଚ୍ଚ ୨୦ରୁ ଆସାମରେ ମନ୍ଦିରଗୁଡିକ ସର୍ବସାଧାରଣ ଦର୍ଶନ ନିମେନ୍ତ ବନ୍ଦ ହୋଇଥିଲା । ଆସାମରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୦କୁ ବୃଦ୍ଧି ହୋଇଛି।


