ବନ୍ଧୁକ ମୁନରେ ଦାଦା’ଙ୍କୁ ଦାଦାବଟି : ପୁତୁରା ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବନ୍ଧୁକ ମୁନରେ ଦାଦା’ଙ୍କୁ ଦାଦାବଟି ମାଗି ପୁତୁରା ଗିରଫ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ଶନିବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଗିରିଆ ଗ୍ରାମରେ ଘଟିଛି । ବନ୍ଧୁକ ମୁନରେ ନିଜ ଦାଦାଙ୍କୁ ୫ଭରଣ ଜମି ଓ ୫୦ ହଜାର ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ହିଞ୍ଜିଳି ପୁଲିସ ଅଭିଯୁକ୍ତ ପୁତୁରାଙ୍କୁ ଗିରଫ କରିଛି । ଗିରଫ ଜଣକ ଆସିକା ଥାନା ନଳବଂଟା ଗ୍ରାମର ମୁକେଶ ପ୍ରଧାନ ଓରଫ ବାଦଲ (୨୬) । ଗିରଫ ଯୁବକଙ୍କ ଠାରୁ ଗୋଟିଏ ୯ଏମଏମ ବନ୍ଧୁକ, ୫ଟି ଜୀବନ୍ତ ଗୁଳି ସମେତ ଏକ ହିରୋ ଏଚଏଫ୍ ଡ଼ିଲକ୍ସ ମୋଟର ସାଇକେଲ (ଓଡ଼ି୦୭ଏଫ୍ ୭୧୦୪)କୁ ପୁଲିସ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୪୨୯/୨୦ରେ ଏକ ମାମଲା ରୁଜୁ କରି ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ଶନିବାର ସକାଳ ପ୍ରାୟ ୮ଟାରେ ଆସିକା ଥାନା ନଳବଂଟା ଗ୍ରାମର ମୁକେଶ ହିଞ୍ଜିଳି ଥାନା ଗିରିଆ ଗ୍ରାମକୁ ଆସି ନିଜ ଦାଦା ଅମର ପ୍ରଧାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ଭରଣ ଜମି ଓ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ । ଦାଦାବଟି ନଦେବାରୁ ପୁତୁରା, ଦାଦାଙ୍କୁ ମାଡ଼ ମାରିବା ସହ ଅପହରଣ କରିବା ଓ ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ନେଇ ଅମର ଶନିବାର ଅପରାହ୍ନରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ମଙ୍ଗଳବାର ସକାଳେ ଅଭିଯୁକ୍ତ ପୁତୁରାଙ୍କୁ ନଳବଂଟା ଗ୍ରାମରୁ ଗିରଫ କରାଯାଇଥିଲା । ଗିରଫ ସମୟରେ ଯୁବକଙ୍କ ଠାରୁ ଗୋଟିଏ ୯ଏମଏମ ବନ୍ଧୁକ, ୫ଟି ଜୀବନ୍ତ ଗୁଳି ସମେତ ଏକ ମୋଟର ସାଇକେଲକୁ ପୁଲିସ ଜବତ କରିଛି ।