ବନ୍ଧୁକ ମୁନରେ ସୁନାଚେନ ଲୁଟ୍
ତିର୍ତ୍ତୋଲ, (ଯୁଗାବ୍ଦ ନ୍ୟୁଜ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଶ୍ରେଣୀ ଗୃହରେ ପାଠ ପାଢାଉଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକଙ୍କୁ ବନ୍ଧୁକ ଦେଖାଇ କେହି ଦୁର୍ବୁତ୍ତ ତାଙ୍କ ଠାରୁ ସୁନାଚେନ ଲୁଟିନେଇ ଯାଇଛନ୍ତି । ଚେନ ଝାମ୍ପିନେବା ସମୟରେ ତାଙ୍କ ଶରୀରରେ ଆଘାତ ଲାଗିଛି । ପୋଲିସ ଖବର ପାଇ ସ୍କୁଲକୁ ଆସି ଘଟଣାର ତଦନ୍ତକରି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ସହ ଆଘାତ ଜନିତ କାରଣରୁ ତାଙ୍କର ଚିକିସôା କରାଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଥିଲେବି ଲୁଟେରାଙ୍କ ସମ୍ପର୍କରେ କୌଣସି ସଠିକ ସୂଚନା ପାଇପାରିନଥିବା ଜଣାପଡିଛି । ଘଟଣାରୁ ଜଣାଯାଏ ଶିକ୍ଷୟିତ୍ରୀ ମଲ୍ଲିକ ସ୍କୁଲଠାରୁ ୨ କିମି ଦୂର ଏହି ପଞ୍ଚାୟତର ବମ୍ବିଲୋ ଗ୍ରାମରେ ରୁହନ୍ତି । ସବୁଦିନ ଭଳି ସେ ବମ୍ବିଲୋରୁ ଆସି ସ୍କୁଲ କାର୍ଯ୍ୟାଳୟରୁ କାର୍ଯ୍ୟସାରି ପାଠ ପଢାଇବାକୁ ଶ୍ରେଣୀ ଗୃହକୁ ଯାଇଥିଲେ । ସେ ପାଠପଢାଉଥିବା ବେଳେ ଦୁଇଜଣ ଯୁବକ ଏକବାଇକରେ ଆସି ସ୍କୁଲଗେଟ ପାଖରେ ରହିଥିଲେ । ପଛରେ ବସିଥିବା ଯୁବକ ହେଟମେଟ ପିନ୍ଧି ସ୍କୁଲପରିସରକୁ ଯାଇ ଶିକ୍ଷୟିତ୍ରୀଙ୍କୁ ଖୋଜି ଶ୍ରେଣୀଗୃହ ମଧ୍ୟକୁ ଯାଇଥିଲେ । ନିଜ ପିଲାଙ୍କୁ ଏହି ସ୍କୁଲରେ ପଢାଇବା ସମ୍ପର୍କରେ ବାହାନାରେ ଶିକ୍ଷୟିତ୍ରୀଙ୍କ ସହ କଥାହୋଇ ହୋଇଥିଲେ । ହଠାତ ଏକ ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ ଲୁଟିନେଇ ବାହାରେ ଅପେକ୍ଷା କରିଥିବା ବାଇକ ଆରୋହୀଙ୍କ ପଛରେ ବସି ପଳାଇଥିଲେ । ଗଲାବେଳେ ଏହି ଲୁଟରେ ବ୍ୟବହାର କରିଥିବା ଖେଳଣା ବନ୍ଧୁକକୁ ଫୋପାଡିଦେଇ ପଳାଇଥିଲେ । ଖବର ପାଇ ଆଇଆଇସି କୃଷ୍ଣ ପ୍ରସାଦ ମିଶ୍ର ଅନ୍ୟ ସହକର୍ମୀଙ୍କ ସହ ସ୍କୁଲକୁ ଯାଇ ଖେଳଣା ବନ୍ଧୁକ ଜବତ କରିବା ସହ ତଥ୍ୟ ସଂଗ୍ରହ କରିଥିଲେ । ଶିକ୍ଷୟିତ୍ରୀଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।