ବନ୍ଧୁତ୍ୱର ବିକଳ୍ପ ନାହିଁ ଦୀର୍ଘ ୩୫ ବର୍ଷ ପରେ ଏକାଠି ହେଲେ ବ୍ରହ୍ମେଶ୍ୱର ବିଦ୍ୟାଳୟ ବିଦ୍ୟାର୍ଥୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମେଶ୍ୱର ପାଟଣା ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟର ୧୯୮୨ ରୁ ୮୮ ବ୍ୟାଚ୍ ବିଦ୍ୟାର୍ଥୀଙ୍କ ସମାଗମରେ ଏକ ନିଆରା ବନ୍ଧୁମିଳନ କାର୍ଯ୍ୟକ୍ରମ ଦୀର୍ଘ ୩୫ ବର୍ଷ ପରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁତ୍ୱର ବିକଳ୍ପ ନାହିଁ, ଏହାକୁ ଆଧାର କରି ସମାଜରେ କିଛି ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବିଦ୍ୟାର୍ଥୀମାନେ ଏକାଠି ହେବା ସହିତ କିଛି ସାମାଜିକ କାର୍ଯ୍ୟ କରିବା ପାଇଁ ବଦ୍ଧପରିକର ବୋଲି ନିଜ ନିଜ ମତ ରଖିଥିଲେ । ଅରବିନ୍ଦ ଓ ସୁକାନ୍ତିଙ୍କ ସଂଯୋଜନାରେ ଆୟୋଜିତ ବନ୍ଧୁ ମିଳନରେ ଉକ୍ତ ବ୍ୟାଚ୍ର ପ୍ରାୟ ସମସ୍ତ ବିଦ୍ୟାର୍ଥୀ ଏକତ୍ରିତ ହୋଇ ବିଦ୍ୟାଳୟ ଜୀବନର ସ୍ମୃତି ଓ ଅନୁଭୂତିକୁ ପରସ୍ପର ମଧ୍ୟରେ ବାଣ୍ଟିବା ସହ ଏକ ନିଆରା ସଚେତନତାମୂଳକ ନାଟକ (ରୋଡ୍ ରୋମିଓ) ପରିବେଷଣ କରାଯାଇଥିଲା । ବିନୋଦ ଓ ରାଜେଶଙ୍କ ନିର୍ଦ୍ଦେଶନାରେ ଉକ୍ତ ନାଟକଟିକୁ ଅଭିନେତା ରବି, ପାଶ୍ୱର୍ଅଭିନେତ୍ରୀ କବିତାଙ୍କ ସହିତ ଦବଙ୍ଗ ନାୟିକା ଭାବେ ରଞ୍ଜୁରାଣୀଙ୍କ ଅଭିନୟ ଓ ବାର୍ତ୍ତା ବେଶ ମନମୁଗ୍ଧକର ଓ ସମାଜକୁ ଏକ ନୂତନ ଦିଗ ପ୍ରଦାନ କରିବାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରାଯାଇଥିଲା । ଏହି ଅବସରରେ ରବିନାରାୟଣ, ବିନୋଦ, ରାଜେଶ, ସମୀର, ଅମୀୟ କବିତାଙ୍କୁ ବିଦ୍ୟାର୍ଥୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ହାସ୍ୟ ଅଭିନେତା ଭାବେ ଧଡୁ ଅଭିନୟ କରିଥିବାବେଳେ ସଂଗୀତ ପ୍ରଦାନ କରିଥିଲେ ଅଜୟ ଓ ମନୋଜ । ଆଗକୁ ବିଭିନ୍ନ ପ୍ରକାର ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରାଯିବ ବୋଲି ମତବ୍ୟକ୍ତ କରାଯାଇଥିଲା । ଶେଷରେ ସ୍ୱପ୍ନା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସୁଚିସ୍ମିତା, ସବିତା, ଭାଗ୍ୟଲତା, ନିରୁପମା, ମୃତ୍ୟୁଞ୍ଜୟ ପ୍ରମୁଖ ସହଯୋଗ କରିଥିଲେ ।


