ବନ୍ଧୁ ନାମରେ କଳଙ୍କ

ଗାଜିଆବାଦ, (ଓ୍ବାଇଏନ୍ଏସ୍) : ଉତ୍ତରପ୍ରଦେଶର ଗାଜିଆବାଦରେ ବନ୍ଧୁତ୍ୱରେ ବିଶ୍ୱାସଘାତକତାର ମାମଲା ସାମ୍ନାକୁ ଆସିଛି | ବାସ୍ତବରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ଗାଜିଆବାଦକୁ ଡକାଯାଇ ତାଙ୍କ ସାଙ୍ଗମାନେ ଅପହରଣ କରି ନେଇଥିଲେ। ତାଙ୍କୁ ଗୁରୁତର ଭାବେ ମାଡ ମାରିବା ସହ ତାଙ୍କ ପରିବାରରୁ ୬ କୋଟି ଟଙ୍କା ମାଗିଥିଲେ। ପୁଲିସ ଏବେ ଏହି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ୨.୭୫ କୋଟି ଟଙ୍କା ମଧ୍ୟ ଜବତ କରିଛି | ପୁଲିସ ଏବେ ଏହି ଅପହରଣ ମାମଲାରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରିଛି। ଗାଜିଆବାଦ ପୁଲିସର ସୂଚନାନୁସାରେ, ଦିଲ୍ଲୀ ବାସିନ୍ଦା ଶଶାଙ୍କ ଶର୍ମାଙ୍କର ସାହାରନପୁରରେ ଏକ କପଡା କାରଖାନା ଅଛି। ଶଶାଙ୍କଙ୍କର ବାସୁ ତ୍ୟାଗୀ ନାମକ ଜଣେ ବନ୍ଧୁ ଥିଲେ। ଶଶାଙ୍କଙ୍କ ପରିବାର ପାଖରେ ବିପୁଳ ଟଙ୍କା ଥିବା ନେଇ ବାସୁ ଜାଣିଥିଲେ |ଏହା ପରେ ବାସୁ ନିଜ ସହଯୋଗୀଙ୍କ ସହ ମିଶି ଶଶାଙ୍କଙ୍କୁ ଅପହରଣ କରିବାକୁ ଯୋଜନା କରିଥିଲେ। ବାସୁ ଶଶାଙ୍କଙ୍କୁ ଗାଜିଆବାଦର ରାଜନଗରକୁ ଡାକିଥିଲେ | ଶଶାଙ୍କ ସେଠାରେ ପହଂଚିବା ପରେ ବାସୁ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ବାନ୍ଧି ପକାଇଥିଲେ | ସେମାନେ ତାଙ୍କୁ ନିସ୍ତୁକ ଭାବେ ମାଡ ମାରିବା ପରେ ଅଭିଯୁକ୍ତମାନେ ତାଙ୍କ ପରିବାରକୁ ଫୋନ କରି ୬ କୋଟି ଟଙ୍କା ମାଗିଥିଲେ। ଶଶାଙ୍କ ତାଙ୍କ ପରିବାର ଏବଂ ଅନ୍ୟ ଲୋକଙ୍କ ସହ ଫୋନରେ କଥା ହୋଇ ପ୍ରାୟ ୨.୭୫ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ। ଏହି ଟଙ୍କା ଅପହରଣକାରୀଙ୍କୁ ଦିଆଯାଇଥିଲା। ଟଙ୍କା ପାଇବା ମାତ୍ରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ | ଏହାପରେ ଶଶାଙ୍କ ଶର୍ମା ଗାଜିଆବାଦ ପୁଲିସକୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଗାଜିଆବାଦ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଅପହରଣରେ ସମ୍ପୃକ୍ତ ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରିଥିଲା |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ