ବନ୍ୟା ଆଶଙ୍କା ନେଇ ବିବ୍ରତ କାଶୀନଗର ବ୍ଲକବାସୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ପ୍ରବାହିତ ହେଉଥିବା ବଂଶଧାରା ନଦୀରେ ବନ୍ୟା ଆଶଙ୍କା ନେଇ ବିବ୍ରତ ହୋଇପଡିଛନ୍ତି କାଶୀନଗର ବ୍ଲକବାସୀ । ବଂଶଧାରା ନଦୀ ଏକ ପକ୍ଷରେ କାଶୀନଗରବାସୀଙ୍କ ଜୀବନରେଖା ହୋଇଥିବାବେଳେ ଅନ୍ୟ ପକ୍ଷରେ କାଶୀନଗରର ଦୁଃଖ ବୋଲି ମଧ୍ୟ କୁହାଯାଉଛି । ପ୍ରାୟତଃ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବଂଶଧାରାରେ ବନ୍ୟା ଆସିଥାଏ ଓ ବତ୍ୟା ଯୋଗୁଁ ଲୋକେ କ୍ଷୟକ୍ଷତିର ସମ୍ମୁଖୀନ ହୁଅନ୍ତି । ୧୯୮୦ ମସିହାରେ ହୋଇଥିବା ବନ୍ୟାର ଭୟାବହର ସମ୍ମୁଖୀନ ହେବାପରେ କାଶୀନଗରବାସୀ ବର୍ତ୍ତମାନ ସୁଦ୍ଧା ଜଳସ୍ଥର ବୃଦ୍ଧିପାଇଲେ ଆତଙ୍କିତ ଓ ଭୟଭୀତ ହୋଇପଡୁଛନ୍ତି । ଚଳିତ ବର୍ଷ ୫୪.୬୦ ମିଟର ନଦୀର ସତର୍କ ସଂକେତ ଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ବଂଶଧାରା ନଦୀ ଜଳ ୫୩.୪୭ରେ ପ୍ରବାହିତ ହେଉଛି । ଏହା ସାଙ୍ଗକୁ ପ୍ରଳୟଙ୍କରୀ ବାତ୍ୟା ଆସିବାର ସୂଚନା ବିଭିନ୍ନ ସୂତ୍ରରୁ ପହଞ୍ଚୁଥିବା ବେଳେ ଲୋକେ ବନ୍ୟା ନେଇ ଆତଙ୍କିତ ହୋଇ ପଡିଛନ୍ତି । ଚାଷୀମାନେ ଧାନ ଫସଲ ନଷ୍ଟ ହୋଇଯିବାର ଭୟରେ ଚିନ୍ତାରେ ହାତ ଦେଇ ବସିଛନ୍ତି ମୁଣ୍ଡରେ । ଗୃହହୀନ ଲୋକଙ୍କ ଭୟ ଆହୁରି ଅଧିକା ରହିଛି । ପ୍ରଶାସନ ବେଳ ଥାଉ ଥାଉ ସାବଧାନ ରହିବା ଉଚିତ ବୋଲି ମତ ପ୍ରକାଶ ପାଇଛି । ତେବେ ପ୍ରଶାସନ ସଜାଗ ଅଛି ଓ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ନଦୀକୂଳ ଛାଡି ନିକଟସ୍ଥ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦେବା ସହ ଅନେକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଦିଆଯାଇଛି ବୋଲି ତହସିଲଦାର ତଥା ଗୋଷ୍ଠି ଉନ୍ନୟନ ଅଧିକାରୀ ଶାନ୍ତି ସ୍ୱରୂପ ମିଶ୍ର ଜଣାଇଛନ୍ତି ।