ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଚଳିତ ବର୍ଷ ବନ୍ୟା ଆସିବା ଯୋଗୁ ୭ଗୋଟି ପଞ୍ଚାୟତର ପ୍ରାୟ ୨୦ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ବାସଗୃହରେ ପାଣି ପଶିଯିବା କାରଣରୁ ରନ୍ଧାବଢା ପ୍ରାୟତଃ ବନ୍ଦ ହୋଇଯାଇଛି। ଏପରିସ୍ଥଳେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ବନ୍ଦାଳୋ-ମଢ଼ିଆଳି ଓ ଝୁଟୁଣା ପଞ୍ଚାୟତକୁ ଯାଇ ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାଣି ଘେରରେ ଥିବା ଲୋକଙ୍କୁ ଭେଟିବା ସହ ଶୁଖିଲା ଖାଦ୍ୟ, ପିଇବା ପାଣି, ଓଆରଏସ ଆଦି ଯୋଗାଇ ଦେଇଛନ୍ତି। ଏହାଛଡା ତହସିଲଦାର ଓ ବିଡ଼ିଓ ଙ୍କ ସହିତ ଆଲୋଚନା କରି ସମ୍ପୂର୍ଣ୍ଣ ଜଳବନ୍ଦୀ ଥିବା ଲୋକମାନଙ୍କ ପାଇଁ ବୋଟ ଏବଂ ଏନଡିଆରଏଫ ଟିମ ଯୋଗାଇ ଦେଇଛନ୍ତି। ବିଧାୟକ ପ୍ରତିନିଧିଙ୍କ ସହିତ ନାଆମୀ ସେବା ସମବାୟ ସମିତି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ବିଶ୍ୱନାଥ ସାହୁ, ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ ପ୍ରମୁଖ ଉପସ୍ଥିତ ରହି ବନ୍ୟା ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା କରିଥିଲେ। ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ସାଂସଦଙ୍କ ପ୍ରତିନିଧି ଲଳିତ ରାଉତ ମାଳଦା ଅଞ୍ଚଳ ପରିଦର୍ଶନ କରି ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ସେହିଭଳି ବିଜେପି ନେତା ବଦ୍ରିନାରାୟଣ ଧଳ, ପଞ୍ଚାନନ ରାଉତ, କଂଗ୍ରେସ ନେତା ସୁବ୍ରତ ଦାସ, ଗୋଲକ ବେହେରା, ବିଜୟ ଶଙ୍କର ମହାନ୍ତି, ଅଜୟ ସାହୁ ପ୍ରମୁଖ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ବିଭିନ୍ନ ସାହାଯ୍ୟ ସହଯୋଗ ଯୋଗାଇଛନ୍ତି।


