ବନ୍ୟା ଭାଙ୍ଗିଦେଲା ପାନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବର୍ଷ ବନ୍ୟା ପୁରୀ ଜିଲ୍ଲା ରେ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ପୁରୀ ଜିଲ୍ଲା କଣାସ ବ୍ଲକର ମକରା ନଦୀରେ ଛୁପୁରିଙ୍ଗି ପଚାଂୟତ ର ପହିଲୁଣ୍ଡି ଗ୍ରାମ ନିକଟରେ,ଜଟଣୀ ବ୍ଲକ ର ରାଜୁଆ ନଦୀର ହଳଦୀପଡା ଓ ଗୋପ ବ୍ଲକ ର କୁଶଭଦ୍ରା ନଦୀର ବେଦପୁର ପଚାଂୟତ ର ଖଣ୍ଡିଆକୁଦ ଠାରେ ଘାଇ ସୃଷ୍ଟି ହୋଇଛି। ଏହି ବନ୍ୟା ରେ ଜିଲ୍ଲା ର ମୋଟ ୧୧ ଟି ବ୍ଲକ ମଧ୍ୟରୁ ୬ ଗୋଟି ବ୍ଲକ ର ୪୫ ପଚାଂୟତ ର ୧୮୯ ଗ୍ରାମର ୧,୪୩,୪୨୯ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ କଣାସ ବ୍ଲକ ର ୬ ପଚାଂୟତ ର ୨୦ ଗ୍ରାମର ୨୩୨୦୦ ଲୋକ, ଗୋପ ବ୍ଲକ ର ୮ ପଚାଂୟତ ର ୩୪ ଗ୍ରାମର ୨୭୯୧୫ ଲୋକ, ଡେଲାଙ୍ଗ ବ୍ଲକ ର ୯ ପଚାଂୟତ ର ୪୦ ଗ୍ରାମର ୪୩୨୧୭ ଲୋକ, ପିପିଲି ବ୍ଲକ ର ୬ ପଚାଂୟତ ର ୨୦ ଗ୍ରାମର ୪୨୪୦ ଲୋକ, ନିମାପଡା ବ୍ଲକର ୧୪ ଟି ପଚାଂୟତ ୬୯ ଗ୍ରାମର ୪୪୬୫୯ ଲୋକ ଓ ଅସ୍ତରଙ୍ଗ ବ୍ଲକ ର ୨ ଟି ପଚାଂୟତ ର ୬ ଟି ଗ୍ରାମର ୧୯୮ ଜଣ ଲୋକଙ୍କୁ ପ୍ରଭାବିତ କରିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲା ର ସମସ୍ତ ବ୍ଲକର ୯୦ ଟି ପଚାଂୟତ ର ୪୧୧ ଗ୍ରାମର ୨୩୬୩୫ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାର ସୂଚନା ମିଳିଛି। ଅନେକ ଗ୍ରାମ ରେ ବହୁ ପରିବାର ଗୃହ ଶୁନ୍ୟ ହୋଇ ନିକଟସ୍ଥ ବିଦ୍ୟାଳୟ, ନଦୀ ବନ୍ଧ, କେନାଲ ବନ୍ଧ,ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ମଣିଷ ଓ ପଶୁ ଏକତ୍ର ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳୁଛି। ତୁରନ୍ତ ଗୃହଶୁନ୍ୟ ପରିବାର ଙ୍କୁ ପଲଥିନ, କିରୋସିନ ଓ ପିଇବା ପାଣି ଯୋଗାଇଦେବାକୁ କଂଗ୍ରେସ ର ଯୁବ ନେତା କେଶବ ପ୍ରଧାନ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଛନ୍ତି। ଚଳିତ ବର୍ଷ ର ବନ୍ୟା ଉପରୋକ୍ତ ଅଞ୍ଚଳ ରେ ଥିବା ପାନ ବରଜ କୁ ନଷ୍ଟ କରିଦେଇଛି। ପ୍ରତିବର୍ଷ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ରେ ପାନ ଚାଷୀ ମାନେ କ୍ଷତିଗ୍ରସ୍ତ ହୋଇ ଆସୁଥିଲେ ମଧ୍ୟ ସରକାର ପାନ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରୁ ନାହାନ୍ତି। ଏହି ବନ୍ୟା ପାନଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ କୁ ଭାଙ୍ଗି ଦେଇଛି। ବନ୍ୟା ରେ ହଜାର ହଜାର ପାନ ବରଜ ବୁଡି ରହିଥିବା ଦେଖିବାକୁ ମିଳିଛି। ବନ୍ୟା ପାଣି ହ୍ରାସ ପାଉଥିଲେ ମଧ୍ୟ ପାନ ଗଛ ସବୁ ପଚି ସଢ଼ି ନଷ୍ଟ ହୋଇ ଗଲାଣି। ଏଥି ସହିତ ବରଜ ର ଇଙ୍କର, ପାଖୁଡ଼ି ମଧ୍ୟ ବନ୍ୟା ପାଣି ରେ ବୁଡି ନଷ୍ଟ ହୋଇଗଲାଣି। ଚାଷ ପାଇଁ ନୂଆ ବରଜ ନିର୍ମାଣ ସାଙ୍ଗକୁ ନୂଆ ପାନ ଲଟା ଲଗାଇବାକୁ ପଡ଼ିବ ବୋଲି ଦୁଷ୍ମନ୍ତ ନାୟକ, ଅଭିମନ୍ୟୁ ବେହେରା, ସନାତନ ବାରିକ ପ୍ରମୁଖ
ପାନ ଚାଷୀ କହିଛନ୍ତି। ଏଥି ପାଇଁ ହଜାର ହଜାର ଟଙ୍କା ଆବଶ୍ୟକ ପଡ଼ିବ। ସବୁ ଚାଷୀ ଆଉ ପାନ ବରଜ ସ୍ଥାପନା କରି ପାରିବେ ନାହିଁ। ସରକାର ଯଦି ପାନ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ ନ କରନ୍ତି ତେବେ ବହୁ ପରିବାର ପାନ ଚାଷ ଛାଡିବାକୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର କୁ ଚାଲିଯିବେ। ତୁରନ୍ତ ବନ୍ୟା ବିପନ୍ନ ପାନ ଚାଷୀ ଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ରାଜ୍ଯ ସରକାର ଙ୍କ ନିକଟରେ ଦାବି କରିଛନ୍ତି।


