ବନ କେନ୍ଦ୍ର ସ୍ଥାନାନ୍ତର ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଖାଉଟି, ପ୍ରଶାସନ ନିରବଦ୍ରଷ୍ଟା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ କେନ୍ଦୁଆପଦା ଆନନ୍ଦବଜାର ଠାରେ ଦୀର୍ଘ ୧୫ ବର୍ଷ ଧରି ଖାଉଟି ମାନଙ୍କୁ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନ କରାଯାଇଆସୁଥିବା ବେଳେ ଏବେ ଗତ ୬ ମାସ ହେବ ଦେଢ କିମି ଦୂର ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାରୁ ଖାଉଟି ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରିକି ଖାଉଟି ମାନଙ୍କର ଘର ଠାରୁ ବଣ୍ଟନ କେନ୍ଦ୍ର ୩ କିମି ଦୂର ହୋଇଥିବା ବେଳେ ୪ଲେନ୍ ରେଳ ଲାଇନ ପାର ହୋଇ ସାମଗ୍ରୀ ଆଣିବାକୁ ଯାଉଛନ୍ତି । ଯାହାକି ସେମାନଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରିଛି । ବିଶେଷ କରି ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ସମସ୍ୟା ହୋଇପଡିଛି । ଏଥିନେଇ ଖାଉଟି ମାନେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ବ୍ଲକ ଯୋଗାଣ ଅଧିôକାରୀଙ୍କ ଠାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଦୀର୍ଘ ୧୫ ବର୍ଷ ହେବ କେନ୍ଦୁଆପଦା ଆନନ୍ଦ ବଜାର ଠାରେ ସଂପୃକ୍ତ ରିଟେଲର ଖାଉଟି ମାନଙ୍କୁ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନ କରିଆସୁଥିଲେ । ଏହି ବଣ୍ଟନ କେନ୍ଦ୍ରରୁ କେନ୍ଦୁଆପଦା ପଞ୍ଚାୟତ ଆମ୍ପୋର ଗ୍ରାମର ତଥା ୧୨ନଂ.ୱାର୍ଡର ଆଂଶିକ ସମେତ ୧୩, ୧୪, ୧୫, ୧୬ ୱାର୍ଡର ଶତାଧିକ ଖାଉଟି ସାମଗ୍ରୀ ନେଇଆସୁଥିଲେ । ମାତ୍ର ଗତ ୬ ମାସ ହେବ ସଂପୃକ୍ତ ରିଟେଲର ଉକ୍ତ ସ୍ଥାନରୁ ବଣ୍ଟନ କେନ୍ଦ୍ରକୁ ଦେଢ କିମି ଦୂର ପଛତୀରା ଛକ ନିକଟକୁ ସ୍ଥାନାନ୍ତର କରିନେଇଛନ୍ତି । ଏସଂପର୍କରେ ଖାଉଟି ମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ପରେ ସଂପୃକ୍ତ ରିଟେଲର ଦୁଇ ଥର ପୁରୁଣା ସ୍ଥାନରେ ସାମଗ୍ରୀ ବଣ୍ଟନ କରି ବନ୍ଦ କରିଦେଇଛନ୍ତି । ଫଳରେ ଉପରୋକ୍ତ ୱାର୍ଡର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ମାନେ ରେଲୱେ ଲାଇନ୍ ପାର ହୋଇ ସାମଗ୍ରୀ ଆଣିବା ବିପଦପୂର୍ଣ୍ଣ ହୋଇପଡିଛି । ଏଥିସହ ସଂପୃକ୍ତ ରିଟେଲର ନୂଆ ସ୍ଥାନରୁ ସାମଗ୍ରୀ ନ ଆଣିଲେ ଆଧାର ସଂଯୋଗ କରିବେ ନାହିଁ ଧମକ ଦେଉଛନ୍ତି । ତେବେ ସାଧାରଣ ଖାଉଟି ମାନେ ଦେଢ କିମି ଦୂର ଏବଂ ରେଲୱେ ଲାଇନ ପାର ହୋଇ ସାମଗ୍ରୀ ଆଣିବାରେ ସମସ୍ୟା ଦେଖାଯାଇଛି । ଏଥିନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ଆଗାମୀ ଦିନରେ ଖାଉଟି ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ