ବନ ବିଭାଗ ର ଚଢ଼ାଉ ୪ ଘର ଭିତରୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ଜବତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡା ସେକ୍ସନ ପତ୍ରଚୁଡିି ଓ ବନମାଳୀ ଗ୍ରାମର ୪ଟି ଗୃହଭିତରୁ ବୁଧବାର ସକାଳୁ ବନବିଭାଗ ପକ୍ଷରୁ ସାଢ଼େ କରି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ପଟାକୁ ବନବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକ ଏକ ବିଶେଷ ସୂତ୍ରରୁ ଆଜି ସକାଳୁ ଉକ୍ତ ଦୁଇଟି ଗ୍ରାମର ଏହି ୪ ଗୋଟି ଗୃହ ମାନଙ୍କରେ କୈାଣସି ଅସାମାଜିକ ଯୁବକ ବେଆଇନ ଭାବେ କାଠ ପଟା ସଂଗ୍ରହ କରି ପ୍ରଥମେ ସ୍ଥଗିତ ରଖିବା ପରେ ରାତାରାତି ଚୋରାଚାଲାଣ କରୁଥିବା ଖବର ପାଇଥିଲେ । ଏହାପରେ ଶ୍ରୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ଏକଜ୍ଯୁଟିଭ ମାଜିଷ୍ଟ୍ରେଟ ତଥା ଚିକିଟି ଅତିରିକ୍ତ ତହସିଲଦାର , ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ , ସହକାରୀ ବନ ସଂଗ୍ରକ୍ଷକ , ବନବିଭାଗ ଭିଜିଲାନ୍ସ ସ୍କ୍ୱାର୍ଡ , ବ୍ରହ୍ମପୁର ଭ୍ରାମ୍ୟମାଣ ସ୍କାଡ ଟିମ୍ ସମେତ ଦିଗପହଣ୍ଡି ଓ ସାମନ୍ତିଆପଲ୍ଲୀ ବନବିଭାଗ କର୍ମଚାରୀ ମାନେ ସକାଳ ସମୟରେ ଉକ୍ତ ଘର ମାନଙ୍କରେ ଅତର୍କିତ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ବନବିଭାଗ ପକ୍ଷରୁ ଲୁଚେଇ ରଖାଯାଇଥିବା କାଠ ପଟା ଗୁଡ଼ିକୁ ଜବତ କରିବା ସହ ଟ୍ରାକ୍ଟର ସହାୟତାରେ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିବା ଖବର ମିଳିଛି । ତେବେ ଜବତ କାଠଗଣ୍ଡି ଗୁଡ଼ିକର ମାପଚୁପ କରିବାପରେ ୧୩୨ ଘନଫୁଟ ରହିଥିବା ବେଳେ ଏହାର ବଜାର ମୂଲ୍ୟ ପାଖାପାଖି ସାଢ଼େ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବବୋଲି ପ୍ରାଥମିକ ଭାବେ ଆକଳନ କରିଥିବା ଦିଗପହଣ୍ଡି ରେଞ୍ଜର ଶ୍ରୀ ପଟ୍ଟନାୟକ କହିଛନ୍ତି । ଏନେଇ କାହାରିକୁ ଗିରଫ କରାଯାଇନଥିବା ବେଳେ ୩ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।


