ବମୋକେଇ ଗାଁ ଠାକୁରାଣୀ ଯାତ୍ରା ରେ ବିଶୃଙ୍ଖଳା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବମୋକେଇ ଗାଁ ବାମଦେବୀ ଠାକୁରାଣୀ ଯାତ୍ରା ରେ କରପଡ଼ା ଗ୍ରାମ ମଠ ସାହି ର ରିତେଶ ପ୍ରଧାନ ଙ୍କୁ ଛୁରାମାଡ କରାଯାଇଛି। ବମୋକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧ ଟା ରେ ଏହି ଅଭାବନୀୟ ଘଟଣା ଘଟିଛି। ଗ୍ରାମ ରେ ଠାକୁରାଣୀ ଯାତ୍ରା ଅବସରରେ ଗତ ସୋମବାର ଦିନ ରାତି ରେ ସାଂସ୍କୃତିକ କାର୍ଯ୍ୟକ୍ରମ’ କହ୍ନେଇ ରଜା ମୋ ବାଇଦ ବଜା’ ଅପେରା ମଞ୍ଚସ୍ଥ ହୋଇଥିଲା। ଅପେରା ପୂର୍ବରୁ ମେଲୋଡି ଓ ରେକର୍ଡ ଡାନ୍ସ କାର୍ଯ୍ୟକ୍ରମରେ କରପଡ଼ା ଏବଂ ଦେଖାଳି ଗ୍ରାମର କିଛି ଯୁବକ ନିଶାସକ୍ତ ଅବସ୍ଥାରେ ନୃତ୍ୟ ପ୍ରଦର୍ଶନ କରିବା ସହ ବିଶୃଙ୍ଖଳା କରି ମଞ୍ଚ ଉପରକୁ ପାଣି ବୋତଲ ଫୋପାଡି ଥିଲେ। ବମୋକେଇ ଯାତ୍ରା କମିଟି ର କିଛି ସଦସ୍ୟ ଏଥିରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମଙ୍ଗଳବାର ରାତିରେ ଯାତ୍ରା ପୀଠ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ତୋ ନାଁ ରେ ମୋ ନାଁ କୁ ଦେଇଛି ଯୋଡ଼ି’ ଅପେରା ମଞ୍ଚସ୍ଥ ପୂର୍ବରୁ ମେଲୋଡି ଓ ରେକର୍ଡ ଡାନ୍ସ ରେ ପୁଣି ଥରେ କରପଡ଼ା ଗାଁ ରୁ ଅପେରା ଦେଖିବାକୁ ଆସିଥିବା ରିତେଶ ମଞ୍ଚ ତଳେ ନୃତ୍ୟ କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ବମୋକେଇ ଗାଁ ର ଯୁବ ବାହିନୀ ଏହାର ପ୍ରତିବାଦ କରିଥିଲେ। ଫଳରେ ପ୍ରଥମେ ବୋମୋକେଇ ଗାଁ ର ବସନ୍ତ ପ୍ରଧାନ ନାମକ ଜଣେ ଯୁବକଙ୍କୁ କଲେଜ ନିକଟରେ କରପଡ଼ା ଏବଂ ଦେଖାଳି ଗ୍ରାମର ଯୁବକ ମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ବସନ୍ତ ଙ୍କ ମୁଣ୍ଡ ଫାଟି ଯାଇଥିଲା। ଘଟଣା ପ୍ରଚାରିତ ହେବାପରେ ବମୋକେଇ ଗ୍ରାମର ଯୁବକ ମାନେ ସଂଘବଦ୍ଧ ହୋଇ ରିତେଶ ଙ୍କ ଉପରେ ଆକ୍ରମଣ କରିଥିଲେ। କୌଣସି ଜଣେ ଯୁବକଙ୍କ ଛୁରାମାଡ ରେ ରିତେଶ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଜଣାପଡିଛି। ଏନେଇ କେ.ନୂଆଗାଁ ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କୁ ପଚାରିବାରୁ କୌଣସି ପକ୍ଷ ଥାନାରେ ଏତଲା ଦେଇ ନାହାନ୍ତି। ଜଦିବା କୌଣସି ପକ୍ଷ ଏତଲା ନଦେଲେ ପୋଲିସ ନିଜ ପକ୍ଷରୁ ଏତଲା ଦାୟର କରି ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି।


