ବରଗଡ଼ ଧନୁଯାତ୍ରା କଂସ ଚୟନ ପାଇଁ ନିଷ୍ପତ୍ତି ଚୂଡ଼ାନ୍ତ
ବରଗଡ଼ : ଆସନ୍ତା ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ, ମନ୍ତ୍ରୀ, ସେନାପତି ସମେତ ଆଉ କିଛି ମୁଖ୍ୟ ଚରିତ୍ର ସକାଶେ କଳାକାର ଚୟନ ହେବ । ଏ ନେଇ କଳାକାର ସମନ୍ୱୟ ସମିତି ସୋମବାର ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ଫଳରେ କଳାକାର ଚୟନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।
ଗତ ୨ତାରିଖରେ ଧନୁଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା । ସେଠାରେ କେତେକ କଳାକାର ଦୁର୍ବଳ ଅଭିନୟ ପ୍ରଦର୍ଶନ କରୁଥିବା ନେଇ ଆଲୋଚନା ହୋଇଥିଲା । ତେଣୁ କଂସ ସମେତ ମୁଖ୍ୟ ଚରିତ୍ର ଚୟନ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ଏ ନେଇ କଳାକାର ସମନ୍ୱୟ ସମିତି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ସୂଚନା ମୁତାବକ, ଚୟନରେ ଭାଗ ନେବାକୁ ଥିବା କଳାକାରମାନେ ଆସନ୍ତା ୧୬ ତାରିଖ ସଂଧ୍ୟା ସୁଦ୍ଧା ଆବେଦନ କରିବେ । ୨୦ରୁ ୨୫ ତାରିଖ ମଧ୍ୟରେ ସମସ୍ତ ଚୟନ ପ୍ରକ୍ରିୟା ସରିବ । ଏ ନେଇ ବିଜ୍ଞାପନ ପ୍ରକାଶ କରିବାକୁ ମଧ୍ୟ ବୈଠକରେ ସ୍ଥିର ହୋଇଛି । ଏଡିଏମ୍ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧନୁଯାତ୍ରା ମହୋତ୍ସବ କମିଟି ଆବାହକ ସୁରେଶ୍ୱର ଶତପଥୀ, କଳାକାର ସମନ୍ୱୟ ସମିତିର ଅଶୋକ ବେହେରା, ନକୁଳ ବାଦୀ, ହରିହର ମିଶ୍ର, ଭୁବନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଉପଜିଲ୍ଲାପାଳ ପ୍ରଭାସ ଡନସେନାଙ୍କ ଅଧ୍ୟକ୍ଷତାରେ ଗୋପପୁର କମିଟି କର୍ମକର୍ତ୍ତାଙ୍କ ବୈଠକ ବସିଛି । ଗୋପପୁରରୁ କୃଷ୍ଣ, ବଳରାମ ଏବଂ ଅନ୍ୟ ଚରିତ୍ର ପାଇଁ ନୂଆ କଳାକାର ଚୟନ ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ତେବେ ଏହି ନିଷ୍ପତ୍ତି ଆଗାମୀ ବୈଠକରେ ହେବ । ଏଥର ଜୀରା ନଦୀ କୂଳରେ ମଂଚ କରାଯିବ । ଅଭିନୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ସ୍ଥିର ହୋଇଛି । ବୈଠକରେ କୃଷ୍ଣଚନ୍ଦ୍ର ମହାପାତ୍ର, ପଦ୍ମଲୋଚନ ମଲ୍ଲିକ, ନାରାୟଣ ଭୋଇ, ମୀନକେତନ ଭୋଇ, ରବୀନ୍ଦ୍ର ରଂଜନ ପୂଜାରୀ, ଦୟାନିଧି ପଧାନ, ଈଶ୍ୱର ବାଗ, ସୁନୀଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।