ବରପଦା-ଆଗରପଡ଼ା ପୂର୍ତ୍ତବିଭାଗ ରାସ୍ତା ଦୁଇଫାଳ

ବନ୍ତ, (ଚାନ୍ଦିନୀ ମହାନ୍ତି):ବରପଦାରୁ – ଆଗରପଡ଼ା ପ୍ରାୟ ୧୪ କି:ମି ପୂର୍ତ୍ତବିଭାଗ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ସାଙ୍ଗକୁ ସୁଦୀର୍ଘ ଫାଟ ଯୋଗୁଁ ରାସ୍ତାଟି ଦୁଇଫାଳ ହୋଇ ଯାଇଛି । ଫଳରେ ଦୈନନ୍ଦିନ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆ ଖାବରା ହେଉଛନ୍ତି । ଏହି ରାସ୍ତାର ଦୂରାବସ୍ଥା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ମଧ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆ ନଯାଇ ତାଳିପକା କାର୍ଯ୍ୟ କରାଯାଉଛି । ଯାହାକୁ ନେଇ ଏ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି । ବିଶେଷକରି ବରପଦା ଅରଞ୍ଜି ପୋଲଠାରୁ ଶେଉଳ ଗଢିଆ ପର୍ଯ୍ୟନ୍ତ ରାସ୍ତାଟି ସଂମ୍ପୂର୍ଣ୍ଣ ଫାଟି ଆଁ କରି ରହିଛି । ରାତି ସମୟରେ ୨ଚକିଆ ଯାନ ଗୁଡ଼ିକ ଏହି ଫଟା ରାସ୍ତାରେ ଭାରସାମ୍ୟ ହରାଇ ଦୈନିକ ଖଣ୍ଡିଆ ଖାବରା ହେଉଥିବାର ଦେଖିବାକୁ ମିଳୁଛି । ଚାରି ଚକିଆ ହାଲୁକା ଯାନର ଚ୍ୟାମ୍ବର ରାସ୍ତାରେ ବାଜୁଛି । ଭାରିଯାନ ସହିତ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀବାହୀ ବସ, ଟାଟାମେଜିକ, ବୋଲେରୋ ଆଦି ପ୍ରତ୍ୟେହ ଯିବା ଆସିବା କରୁଥିବା ବେଳେ ରାସ୍ତାର ଏପରି ଅବସ୍ଥା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଏନେଇ ସିପିଆଇ(ଏମ) ପକ୍ଷରୁ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ଦାବି କରାଯାଇ ଜୁଲାଇ ୩ରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ତୁରନ୍ତ ମରାମତି ନହେଲେ ଗଣଧାରଣା ପାଇଁ ଚେତାବନୀ ଦିଆ ଯାଇଥିଲା । ସେହିଅନୁଯାୟୀ ସୋମବାର କୃଷକ ନେତା ପ୍ରଭାସ ମହାପାତ୍ରଙ୍କ ନେତୃତ୍ୱରେ ସାମ୍ୟବାଦୀ ନେତା ଚନ୍ଦ୍ରଶେଖର ନାୟକ, ନାରୀ ନେତ୍ରୀ ରୋଜାଲିନ ସାମ୍ୟବାଦୀ, ସଞ୍ଜିବୀ ମଲ୍ଲିକ, ପ୍ରତାପ କୁମାର ସେଠୀ, ସନ୍ତୋଷ କୁମାର ମହାପାତ୍ର, ମହେଶ୍ୱର ନାୟକ, ଭଗବାନ ପଲେଇ, ବ୍ରଜେନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ପେଡ଼ି, ନନ୍ଦକିଶୋର ଓଝା, ଗେଲି ବେହେରା, ସୁକାନ୍ତି ପ୍ରଧାନ, ଭୈରବ ଯେନା, ସନାତନ ଯେନା, ରୋହିତାସ୍ୱ ପେଡି, ଶତ୍ରୁଘ୍ନ ଯେନା, ଚମ୍ପା ଓଝା, ସ୍ଥିତପ୍ରଜ୍ଞ ବେହେରା, ଚିନ୍ମୟ ବେହେରା, କାଳିଆ ତିଆଡିଙ୍କ ସମେତ ଶତାଧିକ ବ୍ୟକ୍ତି ଆଗରପଡ଼ା ମୁଖ୍ୟ ବଜାର କୁପାରୀ ଛକ ଠାରେ ଗଣଧାରଣା ସହ ପ୍ରତିବାଦ ସଭା କରାଯାଇଥିଲା । ଖବର ପାଇ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ ଧାରଣା ସ୍ଥଳରେ ପହଞ୍ଚି ମଙ୍ଗଳବାର ଠାରୁ ରାସ୍ତାର ଉଭୟ ପଟୁ ଫାଟିଥିବା ଅଂଶକୁ ଖୋଳା ଯାଇ ପିଚୁ କରାଯିବ ବୋଲି ଘୋଷଣା କରିବା ପରେ ଗଣ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ