ବରଫ ଅତଡ଼ା ଖସି ୧୦ ନିଖୋଜ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣି ଥରେ ବରଫ ଅତଡ଼ା ଖସିବାରୁ ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟୂନ ୧୦ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ୬ ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି।
ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର କୁଲଗାମ୍‍ ଜିଲା ଜୱାହର ଟନେଲ୍‍ ନିକଟରେ ଏକ ପୁଲିସ ଶିବିର ଉପରେ ବରଫ ଅତଡ଼ା ଖସିପଡ଼ିଥିଲା। ସେତେବେଳେ ଶିବିରରେ ୨୦ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ପୁଲିସ କର୍ମଚାରୀ, ଦୁଇ ଜଣ ଆଗ୍ନିକ ଓ ଦୁଇ ଜଣ ନାଗରିକ ବରଫ ଅତଡ଼ା ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି। ପୁଲିସ ଓ ଉଦ୍ଧାରକାରୀ ଦଳ ତତ୍କାଳ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ସକାଳୁ ସେହି ଅଞ୍ଚଳରୁ ୭୮ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।
ଜାମ୍ମୁକାଶ୍ମୀର ୧୬ଟି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଫ ପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ତୁଷାରପାତ ଯୋଗୁଁ ଜାମ୍ମୁକୁ ଯାଉଥିବା ଜାତୀୟ ରାଜପଥ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବନ୍ଦ ହୋଇଯାଇଛି। ଶ୍ରୀନଗର ବିମାନବନ୍ଦରକୁ କୌଣସି ବିମାନ ଆସୁପାରୁନାହିଁ। ରାସ୍ତାଘାଟ ବନ୍ଦ ହୋଇଯିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚି ପାରୁନାହିଁ। ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇପଡ଼ିଛି। ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଭିତ୍ତିଭୂମି ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କ୍ଷୟକ୍ଷତି ପରିମାଣ ଅଧିକ ଥିବାରୁ ମରାମତି ଓ ପୁନରୁଦ୍ଧାର ବିଳମ୍ବିତ ହେବ ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ