ବରହମପୁର-ଶିଆଳିଆ ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ଅନିୟମିତତା : କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବହୁ ଅନିୟମିତତା ହୋଇଥିବା ନେଇ ଦୋଳପଦୀ ଓ ଘରପଦା ଗ୍ରାମର ଚାଷୀ ମାନେ ଭୁବନେଶ୍ୱରସ୍ଥିତ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ, ଜିଲାପାଳ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଭିଜିଲାନ୍ସ ଡି.ଏସ୍.ପି ଭଦ୍ରକଙ୍କ ଠାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ୭ କୋଟି ଟଙ୍କା ଅଟକଳ ମୂଲ୍ୟରେ ଦୀର୍ଘ ୫ କିମି ବିଶିଷ୍ଟ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ୧ ବର୍ଷ ହେବ ଚାଲିଛି । ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ । ଦୋଳପଦୀ ଠାରେ ନିଷ୍କାସନ ନାଳ ଉପରେ ପୂର୍ବରୁ ଥିବା ଏକ ପୁରଣା ପୋଲ ଓ କଲଭର୍ଟକୁ ମରାମତି କରାଯାଇଛି । ଯାହାକି ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ପୋଲର ଗୋଟିଏ ପଟେ ପ୍ରୋଟେକ୍ସନ ୱାଲ ତିଆରି ହୋଇଥିବା ବେଳେ ଅନ୍ୟପଟେ ତାହା ନିର୍ମାଣ କରାଯାଇନାହିଁ । ପୂର୍ବରୁ ଏହି ପୋଲରେ ୩ ଲାଇନ୍ ହୋମ ପାଇପ ବସାଯାଇଥିବା ବେଳେ ଏବେ ଗୋଟିଏ ଲାଇନ ହୋମ ପାଇପ ବସାଯାଇଛି । ନୟନଜୋରୀକୁ ପୋତି ଡାଇଭରସନ କରାଯାଇଥିବା ମାଟିକୁ ପୋଲ ମୁହଁରୁ ସ୍ଥାନାନ୍ତରିତ କରାଯାଇନାହିଁ । ବର୍ଷା ଦିନେ ନିଷ୍କାସନ ନାଳରେ ପାଣି ଆସିଲେ ପୋଲ ମୁହଁ ଓ କଲଭର୍ଟ ପୋତି ହୋଇଯିବାର ଆଶଙ୍କା କରାଯାଇଛି । ନିଷ୍କାସନ ନାଳ ଦେଇ ପ୍ରବାହିତ ହେଉଥିବା ବର୍ଷାଜଳ, କାଡାନାଳର ଜଳ ଓ ବିଶେଷକରି କପାଳୀ ନଦୀର ଜଳ ନିଷ୍କାସିତ ହୋଇପାରିବ ନାହିଁ । ଫଳରେ ମୁଖ୍ୟ ରାସ୍ତା ସମେତ ୨ ଗ୍ରାମର ପ୍ରାୟ ୪୦ରୁ ୫୦ ଏକର ଚାଷ ଜମିର ଧାନଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଡାଇଭରସନ ପାଇଁ ପଡିଥିବା ମାଟିକୁ ଖୁବଶିଘ୍ର ସ୍ଥାନାନ୍ତରିତ କରିବା, ପୂର୍ବଭଳି ଆଉ ୨ ଲାଇନ୍ କଲଭର୍ଟ ବସାଇବା, ପୋଲର ଅପର ପାଶ୍ୱର୍ରେ ପ୍ରୋଟେକ୍ସନ ୱାଲ ତିଆରି କରିବା, ନୟନଜୋରୀରେ ପୋତା ଯାଇଥିବା ମାଟିକୁ ଉଠାଇ ରାସ୍ତାର ଉଭୟ ପାଶ୍ୱର୍ରେ ପକାଇବା, ରାସ୍ତା ପାଶ୍ୱର୍ରେ ଡ୍ରେନ୍ ତିଆରି କରିବା, ପୁରୁଣା ହୋମପାଇପ ଗୁଡିକୁ ଯଥାସ୍ଥାନରେ ପକାଇବା ନେଇ ଚାଷୀ ନାରାୟଣ ଚନ୍ଦ୍ର ସାୁହ, ଯୁଧିଷ୍ଠିର ସାହୁ, ୱାର୍ଡ ସଭ୍ୟା ସ୍ନେହଲତା ସାହୁ, ରାଜୀବ ସାହୁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ପ୍ରଦୀପ କୁମାର ସାହୁ, ବଟକୃଷ୍ଣ ସାହୁ, ରାଜେଶ ସାହୁ, ଦୀଲିପ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଚାଷୀ ମାନେ ଉଚ୍ଚ ଅଧିକାରୀଙ୍କ ଠାରେ ଦାବୀ କରିଛନ୍ତି । ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।