ବରିଷ୍ଠ ଓକିଲ ଦେବୀ ପ୍ରସାଦ ଧଳଙ୍କୁ ଚଳିତ ବର୍ଷର ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କରୋନା ପରିପ୍ରେକ୍ଷୀରେ ଗତ ଦୁଇବର୍ଷ ଧରି ବନ୍ଦ ଥିବା ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ ଚଳିତବର୍ଷ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜ୍ଞ ତଥା ବାର୍ କାଉନସିଲ୍ ଅଫ ଇଣ୍ଡିଆର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ଦେବୀ ପ୍ରସାଦ ଧଳଙ୍କୁ ପ୍ରଦାନ କରାଯିବ ବୋଲି ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନର ଆଜୀବନ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବଜ୍ଞପ୍ତିରେ ଜଣାଇଛନ୍ତି । ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ନିଷ୍ପତ୍ତି କ୍ରମେ ଶ୍ରୀ ଧଳଙ୍କୁ ଆସନ୍ତା ୧୪ ତାରିଖ ଦିନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଆଇନଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୦୯ତମ ଜୟନ୍ତୀ ଉତ୍ସବରେ ଭୁବନେଶ୍ୱର ଭାରତୀୟ ବିଦ୍ୟାଭବନ ସମ୍ମିଳନୀ କକ୍ଷରେ ଏହି ସମ୍ମାନ ପ୍ରଦାନ କରାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ବର୍ଷ ଧରି ଆଇନ୍ କ୍ଷେତ୍ରରେ ଜୀବନବ୍ୟାପୀ ସେବା ପାଇଁ ଏହି ସମ୍ମାନ ପୂର୍ବରୁ ବାରିଷ୍ଟର ଗୋବିନ୍ଦ ଦାସ, ଗଙ୍ଗାଧର ରଥ, ଭୂପେନ ଚନ୍ଦ୍ର ବୋଷ, ବସନ୍ତ ପାଣିଗ୍ରାହୀ, ବିପିନ ବିହାରୀ ରଥ, ଦିବ୍ୟସିଂହ ମିଶ୍ର, ମନୋରଞ୍ଜନ ମହାନ୍ତି ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି । ଆଜିର ବୈଠକରେ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଉମାବଲ୍ଲଭ ମହାପାତ୍ର, ଦୁଃଖିଶ୍ୟାମ ଦାସ, ସୀତା ବଲ୍ଲଭ ମହାପାତ୍ର, ଡଃ ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।