ବରିଷ୍ଠ ଜନନେତା ଦ୍ୟୁତିକୃଷ୍ଣ ପଣ୍ଡାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର : ଓଡ଼ିଶାର ବିଶିଷ୍ଟ ସାମ୍ୟବାଦୀ ନେତା, ପୂର୍ବତନ ସାଂସଦ ଓ ବିଧାୟକ, ବରିଷ୍ଠ ଶ୍ରମିକ ନେତା ଦ୍ୟୁତିକୃଷ୍ଣ ପଣ୍ଡାଙ୍କ ଦେହାନ୍ତରେ ବାଲେଶ୍ୱର ସିଭିଲ୍ ସୋସାଇଟି ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ମନୋଜ ନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ । ରବିବାର ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୯୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସ୍ୱର୍ଗତଃ ପଣ୍ଡା ଗତ ୧୯୭୧ ମସିହାରେ ଆସ୍କା ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ଓ ଏହାପରେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ଆସ୍କା ଚିନି କାରଖାନା ଶ୍ରମିକ ଓ ଆଖୁଚାଷୀମାନଙ୍କର ବହୁ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ଏକାଧାରରେ ସେ ଜଣେ ସୁବକ୍ତା ଥିଲେ ଓ ଅନେକ ପୁସ୍ତକ ରଚନା କରିଛନ୍ତି । ଜଣେ ଆଇନଜୀବି ଏବଂ ଶ୍ରମିକ ନେତା ଭାବେ ବହୁ ଜାତୀୟ ଓ ଆନ୍ତଃଜାତୀୟ ସେମିନାରରେ ସେ ପ୍ରତିନିଧିତ୍ୱ କରିଥିଲେ । ଛାତ୍ରଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ବାମପନ୍ଥୀ ଆଦର୍ଶକୁ ଗ୍ରହଣ କରି ବହୁ ଜନଦାବିରେ ରାଜ୍ୟସ୍ତରରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ବାଲେଶ୍ୱରକୁ ସ୍ୱର୍ଗତ ପଣ୍ଡା ବହୁବାର ଆସି ବିଭିନ୍ନ ଜନସଭାରେ ଯୋଗଦେଇଥିଲେ । ସରକାରୀ ମେଡିକାଲ କଲେଜ୍ ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇ ସେ ଭୁବନେଶ୍ୱର ଗଣଧାରଣାରେ ଯୋଗଦେଇ ବାଲେଶ୍ୱରବାସୀଙ୍କ ଦାବିକୁ ଦୃଢ଼ ସମର୍ଥନ ଜଣାଇଥିଲେ । ଗତ କିଛିଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଓ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରାଯାଇଥିଲା । ସଭାରେ ଲକ୍ଷ୍ମୀଧର ବେହେରା, ବସନ୍ତ ସ, ରମେଶ ଚନ୍ଦ୍ର ଜେନା, ଗୌରାଙ୍ଗ ପାଣିଗ୍ରାହୀ, ଭାଗବତ ପ୍ରତିହାରୀ, ନିରଞ୍ଜନ ପରିଡ଼ା, ପ୍ରଦୀପ କୁମାର ଚାଟାର୍ଜୀ, ପରମାନନ୍ଦ ପଣ୍ଡା, ସନ୍ତୋଷ କୁମାର ସାହୁ, ଶ୍ୟାମସୁନ୍ଦର ଜେନା ଓ ଶଚୀନ୍ଦ୍ର ଦାସ ପ୍ରମୁଖ ସ୍ୱର୍ଗତଃ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଶରତ ଦଳାଇ କୃତଜ୍ଞତା ଜଣାଇଥିଲେ ।