ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଣିପାଳ ଗ୍ରାମରେ ନବଦିଗନ୍ତ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଯୀଶୁଖ୍ରୀଷ୍ଟଙ୍କ ଜୟନ୍ତୀ ଓ ବଡଦିନ ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଶିଷ୍ଟ ଓ ବରିଷ୍ଠ ନାଗରିକମାନଙ୍କୁ ନେଇ ସେବା ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଷୟୀଷ୍ଣୁ ସମାଜରେ ବୟଷ୍କମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ଏବଂ ଆଜିର ଦିନରେ ଜରାଶ୍ରମ ବଢି ବଢି ଚାଲିଥିବା ବେଳେ ଉପାନ୍ତ ଅଞ୍ଚଳ କଣିପଡାର ଯୁବକମାନଙ୍କ ଏହି ପ୍ରୟାସ ସାମାଜିକ ଦାୟାବଦ୍ଧତା ପାଇଁ ଆଶା ସଞ୍ଚାର କରିଛି । ବଡଦିନରେ କଣିପାଳ ସ୍କୁଲ ପରିସରରେ ଏକ ସୁଶୋଭିତ କାର୍ଯ୍ୟକ୍ରମରେ ପ୍ରଥମେ ଶତାଧିକ ବୟଷ୍କ ବୃଦ୍ଧ/ବୃଦ୍ଧାମାନଙ୍କ ପାଦ ଧୋଇଦେବା ପରେ ସେମାନେ ଆସନ ଅଳଙ୍କୃତ କରିଥିଲେ । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବା ପରେ ସମ୍ବର୍ଦ୍ଧନା ସଭା ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଗୟାଧର ଧଳ ଯୋଗଦେଇ କହିଲେ ଆଜିର ଭୋଗବାଦୀ ସମାଜରେ ପରବର୍ତ୍ତୀ ବା ତରୁଣ ପିଢୀ ଯେମିତି ସାମାଜିକ ଦାୟାବଦ୍ଧତାରୁ ଓହରି ଯାଉଛନ୍ତି ତାହା ଚିନ୍ତାଜନକ ହୋଇଥିବା ବେଳେ ଅକ୍ଷାତ କଣିପାଳ ଗ୍ରାମର ଏହି ପ୍ରୟାସ ଆଶା ସଞ୍ଚାର କରିଛି । ସମାଜର ଉନ୍ନତି ପାଇଁ ଯୁବକମାନେ ବ୍ରତୀ ହେବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ନିରଞ୍ଜନ ଦାସ, ଶିଶିର ଓଝା, କୃଷକ ନେତା ଦାଶରଥି ସାହୁ, ବିଜୟ ଦାସ, କୃଷ୍ଣଚନ୍ଦ୍ର ଦାସ, କେଶବ ଦାସ, ଭ୍ରମରବର ଦାସ, ଦୋଳଗୋବିନ୍ଦ ସାହୁ, ରାମଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗରୁ ଆଲୋଚନା କରି ଯୁବସମାଜକୁ ପଥଭ୍ରଷ୍ଟ ନହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଅନୁଷ୍ଠାନର କର୍ମକର୍ତ୍ତା ଉଦୟଭାନୁ ସାହୁ, ପ୍ରଜୁଜ୍ୟ ସାହୁ, ବିଷ୍ଣୁଦେବ ପଣ୍ଡା, ରବିନ୍ଦ୍ର ସାହୁ, ସନ୍ତୋଷ ଦାସ, ଚନ୍ଦ୍ରଶେଖର ସାହୁ, ସଂଗ୍ରାମ ପଣ୍ଡା ଓ ପ୍ରକାଶ ଦାସ ପ୍ରମୁଖ । ଶେଷରେ ଶତାଧିକ ବୃଦ୍ଧ/ବୃଦ୍ଧାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସକରାତ୍ମକ କାର୍ଯ୍ୟକ୍ରମ ଅଞ୍ଚଳରେ ଆଲୋଚ୍ୟର ବିଷୟବସ୍ତୁ ପାଲଟିଛି ।