ବରିଷ୍ଠ ନାଗରିକମଂଚ ପକ୍ଷରୁ ବିଭିନ୍ନ ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ଧାରଣା ଆହ୍ୱାନ

ଯୋଡା (ସମୀର କୁମାର ଦାସ) : ଯୋଡା ସହର ଏକ ଖଣି ପ୍ରବଣ ଉପାନ୍ତ ଅଂଚଳ । ଏହି ଅଂଚଳରୁ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ହେଲେ ଏହି ଯୋଡା ଖଣି ଅଂଚଳ ଅଜସ୍ର ରାଜସ୍ୱ ଦେଇ ମଧ୍ୟ ଆଜି ଅବହେଳିତ ହୋଇ ରହିଛି । ଯୋଡାବାସୀ ବିଭିନ୍ନ ମୌଳିକ ସୁବିଧା ତଥା ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ ସୁବିଧା ପ୍ରଭୃତିରୁ ଏବେବି ମଧ୍ୟ ବଂଚିତ ହୋଇ ରହିଛନ୍ତି । ଆଦାୟ ହୋଇଥିବା ରାଜସ୍ୱ ଟଙ୍କା, କେନ୍ଦ୍ର ଓ ରାଜ୍ୟ ସରକାର ଖଣି ପ୍ରଭାବିତ ଅଂଚଳର ବିକାଶ ପାଇଁ ବିନିଯୋଗ ନକରି ବଡ ବଡ ସହରରେ ଖର୍ଚ୍ଚ କରୁଛନ୍ତି । ହେଲେ ରାଜସ୍ୱ ଦେଉଥିବା ଯୋଡା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଏହାର ପ୍ରତିବାଦରେ ଯୋଡା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବିଭିନ୍ନ ଦାବି ପୁରଣ ନେଇ ଜୁନ୍ ମାସ ୧ ତାରିଖ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେବାପାଇଁ ଯୋଡାବାସୀଙ୍କୁ ଆହ୍ୱାନ ଦିଆଯାଇଛି । ଏଥିରେ ସହରର ମହିଳା ସଂଗଠନ, ସ୍ୱେଛାସେବୀ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ବୁଦ୍ଧିଜୀବୀ , ଯୁବଗୋଷ୍ଠୀ, ଯୋଡା ଟ୍ରକ ମାଲିକ ସଂଘ ପ୍ରମୁଖ ସହମତି ପ୍ରଦାନ କରିଛନ୍ତି । ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବିଭିନ୍ନ ଦାବି ଗୁଡିକ ମଧ୍ୟରେ ୧. ଯୋଡା ସହର ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ ୨ର ରଣାଶାଳ ଘାଟି ଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ନବୀକରଣ ଏବଂ ପ୍ରଶସ୍ତୀକରଣ କାର୍ଯ୍ୟ ତୁରନ୍ତ ଶେଷ କରିବା ୨. ୫୨୦ନଂ ଜାତୀୟ ରାଜପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା, ୩. ବହୁ ପ୍ରତିକ୍ଷୀତ ରଣାଶାଳ ଘାଟିଠାରୁ ବାଂଶପାଣି ପର୍ଯ୍ୟନ୍ତ ୨୦୧୧ ରେ ପ୍ରସ୍ତାବିତ ଫ୍ଲାଏ ଓଭର ର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ସମାପ୍ତ କରିବା , ୪ ଘନ ଘନ ବିଜୁଳି କାଟ ର ତୁରନ୍ତ ପ୍ରତିକାର, ୫. ଯୋଡା ସହରକୁ ସ୍ୱଛ, ପର୍ଯ୍ୟାପ୍ତ ଓ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା କରିବା, ୬. କମାର ଯୋଡାସ୍ଥିତ ସରକାରୀ ଡାକ୍ତରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା, ୭. ଉଚ୍ଚ ଶିକ୍ଷା ନିମନ୍ତେ ଏକ ସାଧାରଣ ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରଭୃତି ଦାବି କରାଯାଇଛି । ଏହି ଦାବି ପୁରଣ ଦିଗରେ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନନେଲେ ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରାଯିବ ବୋଲି ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବରିଷ୍ଠ ନାଗରିକ ଶିରିଶ ଚନ୍ଦ୍ର ମହାନ୍ତି କହିଛନ୍ତି । ଅତୀତରେ ବାରମ୍ବାର ଏହି ଦାବି ଗୁଡିକ ହୋଇ ଆସୁଥିଲେ ହେଁ , କେବଳ ଆଶ୍ୱାସନା ଏବଂ ପ୍ରତିଶୃତି ମାଧ୍ୟମରେ ବୁଝାସୁଝା କରି ପ୍ରଶାସନ ଘଟଣାକୁ ଏଡାଇ ଦେଉଥିଲା । ଅନ୍ୟ ଉପାୟ ନପାଇ ଶେଷରେ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା ବୋଲି ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ସ୍ଥିର ହୋଇଥିଲା । ସୂଚନା ଯୋଗ୍ୟ ଯେ, ଏହି ଯୋଡା ଖଣି ମଣ୍ଡଳରୁ ୪ ହଜାର କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଖଣି ଅଂଚଳର ବିକାଶ ଦିଗରେ ବ୍ୟୟ ପାଇଁ ଖଣି ଲିଜ୍ ଧାରୀମାନଙ୍କଠାରୁ ଆଦାୟ ହୋଇଥିଲେ ମଧ୍ୟ ଏହାର ସୁବିନିଯୋଗ ହୋଇପାରୁନାହିଁ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ