ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୩-୨୪ ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଚୂଡାନ୍ତ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ଅନୁଯାୟୀ ଜିଲ୍ଲାସ୍ତରରେ ବରିଷ୍ଠ ନାଗରିକମାନଙ୍କର ଚୟନ କରାଯାଇ ତୀର୍ଥଯାତ୍ରା ଆୟୋଜନ କରାଯାଉଅଛି I ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱରର ୨୨୬ ଜଣ, ଭଦ୍ରକର ୧୪୬ ଜଣ, ମୟୁରଭଞ୍ଜର ୨୪୫ ଜଣ, କେନ୍ଦୁଝରର ୧୭୫ ଜଣ ଓ ଯାଜପୁରର ୧୭୮ ଜଣ ଆଦି ୫ ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଜାନୁଆରୀ ୫ ତାରିଖ ଦିନ ସକାଳ ପ୍ରାୟ ଘ. ୧୧.୩୦ ମି ସମୟରେ ବାଲେଶ୍ଵର ରେଳ ଷ୍ଟେସନ ଠାରୁ ଉଜୈନ-ଓଁକାରେଶ୍ୱର ଅଭିମୁଖେ ଯାତ୍ରା କରିବେ I ଏହି ଯୋଜନା ଅନ୍ତର୍ଗତ ୯୭୦ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲ୍ଲାଗୁଡିକର ୩୦ ଜଣ ଏସ୍କର୍ଟ ଅଧିକାରୀ ରେଳ ବିଭାଗ ଯୋଗାଇଦେଉଥିବା ସ୍ୱତନ୍ତ୍ର ରେଳ ଯୋଗେ ଯାତ୍ରା କରିବେ Iଯାତ୍ରା ନିମନ୍ତେ ଚୟନ ହୋଇଥିବା ଯାତ୍ରୀମାନେ ୪ ତାରିଖରେ ଜିଲ୍ଲା ପ୍ରଶାସନ ମାନଙ୍କର ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ୱରର ପଦ୍ମାବତୀ ପାର୍କକୁ ଅପରାହ୍ନ ଘ.୨ ଟା ସମୟରେ ଆସି ପହଞ୍ଚିବା ପରେ ସେଠାରେ ସେମାନଙ୍କର ପଞ୍ଜିକରଣ କରାଯାଇ ଭବ୍ୟ ସ୍ୱାଗତ କରାଯିବ I ସରକାରୀ ଭାବେ ସେମାନଙ୍କର ରହଣି, ଖାଦ୍ୟପାନୀୟ ଆଦିର ବ୍ୟବସ୍ଥା ସହ ଆମୋଦ ନିମନ୍ତେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି I ଯାତ୍ରା ଦିନ ବାଲେଶ୍ୱର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ତୀର୍ଥଯାତ୍ରୀମାନଙ୍କୁ ଷ୍ଟେସନ ଅଣାଯାଇ ପାରମ୍ପରିକ ନୃତ୍ୟ ବାଦ୍ୟ ମଧ୍ୟରେ ସେମାନଙ୍କର ବିଦାୟ କରାଯିବ I ଏହି ତୀର୍ଥଯାତ୍ରାର ଅବଧି ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ଅଟେ Iସୂଚନା ଯୋଗ୍ୟ ଯେ, ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି । ଏହି ଯୋଜନାର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୨୫ଟି ପର୍ଯ୍ୟାୟରେ ସର୍ବମୋଟ ୨୪୬୬୯ ଜଣ ବରିଷ୍ଠ ନାଗରିକ ଭାରତ ବର୍ଷର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ୧୦ଟି ଯାତ୍ରା ମଧ୍ୟରୁ ଏହା ହେଉଛି ପଞ୍ଚମ ଯାତ୍ରା I ପ୍ରକାଶ ଥାଉ କି, ଯାତ୍ରାରମ୍ଭ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରାଯାଉଥିବା ବେଳେ ଯାତ୍ରା ସମୟରେ ରେଳ କର୍ତ୍ତୃପକ୍ଷଙ୍କ ତରଫରୁ ତୀର୍ଥଯାତ୍ରୀମାନଙ୍କର ସମସ୍ତ ସୁବିଧାର ବ୍ୟବସ୍ଥା କରାଯାଇଥାଏ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ