ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୩-୨୪ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ଅନୁଯାୟୀ ଜିଲ୍ଲାସ୍ତରରେ ବରିଷ୍ଠ ନାଗରିକମାନଙ୍କର ଚୟନ କରାଯାଇ ତୀର୍ଥଯାତ୍ରା ଆୟୋଜନ କରାଯାଉଅଛି I ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାର୍ଚ୍ଚ ୨ ତାରିଖ ଦିନ ସକାଳ ପ୍ରାୟ ଘ. ୧୧.୩୦ ମି ସମୟରେ ବାଲେଶ୍ଵର ରେଳ ଷ୍ଟେସନ ଠାରୁ ଆଗ୍ରା-ମଥୁରା ଅଭିମୁଖେ ଯାତ୍ରା କରିବେ I ଏହି ଯୋଜନା ଅନ୍ତର୍ଗତ ୯୭୦ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲ୍ଲାଗୁଡିକର ୩୦ ଜଣ ଏସ୍କର୍ଟ ଅଧିକାରୀ ରେଳ ବିଭାଗ ଯୋଗାଇଦେଉଥିବା ସ୍ୱତନ୍ତ୍ର ରେଳ ଯୋଗେ ଯାତ୍ରା କରିବେ Iଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ନିଷ୍ପତି ମୁତାବକ ଯାତ୍ରା ନିମନ୍ତେ ଚୟନ ହୋଇଥିବା ଯାତ୍ରୀମାନେ ମାର୍ଚ୍ଚ ୧ ତାରିଖରେ ଜିଲ୍ଲା ପ୍ରଶାସନ ମାନଙ୍କର ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ୱରର ପଦ୍ମାବତୀ ପାର୍କକୁ ଅପରାହ୍ନ ଘ.୨ ଟା ସମୟରେ ଆସି ପହଞ୍ଚିବା ପରେ ସେଠାରେ ସେମାନଙ୍କର ପଞ୍ଜିକରଣ କରାଯାଇ ଭବ୍ୟ ସ୍ୱାଗତ କରାଯିବ I ଯାତ୍ରା ଦିନ ବାଲେଶ୍ୱର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ତୀର୍ଥଯାତ୍ରୀମାନଙ୍କୁ ଷ୍ଟେସନ ଅଣାଯାଇ ପାରମ୍ପରିକ ନୃତ୍ୟ ବାଦ୍ୟ ମଧ୍ୟରେ ସେମାନଙ୍କର ବିଦାୟ କରାଯିବ I ଏହି ତୀର୍ଥଯାତ୍ରାର ଅବଧି ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ଅଟେ Iସୂଚନା ଯୋଗ୍ୟ ଯେ, ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି । ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ୧୦ଟି ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ତିମ ଯାତ୍ରା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ