ବରିଷ୍ଠ ନାଗରିକ ମଞ୍ଚର ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ସରକାରଙ୍କ ନିଷ୍ପତ୍ତି କ୍ରମେ ବାଲେଶ୍ୱରରେ ପ୍ରସ୍ତାବିତ ବରିଷ୍ଠ ନାଗରିକମାନଙ୍କ ପାଇଁ ସମନ୍ୱିତ ପୁନଃର୍ବାସ ଓ ଥଇଥାନ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଗତ ୨୦୧୬ ମସିହାରେ ମଞ୍ଜୁରୀପ୍ରାପ୍ତ ଯୋଜନା କାର୍ଯ୍ୟକାରୀରେ ବିଳମ୍ବକୁ ନେଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ମଞ୍ଚର ଜିଲା କାର୍ଯ୍ୟାଳୟରେ ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସ୍ଥିରୀକୃତ ୨୦ ଏକର ପରିମିତ ଜମି ହସ୍ତାନ୍ତରରେ ଅନିଶ୍ଚିତତା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଏହି ସମସ୍ୟାର ତୁରନ୍ତ ସମାଧାନ ସହ ପ୍ରସ୍ତାବିତ ପ୍ରକଳ୍ପକୁ ତୁରନ୍ତ ଆରମ୍ଭ କରିବା ପାଇଁ ମଞ୍ଚର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ସାକ୍ଷାତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ଜିଲ୍ଲା ସମ୍ମିଳନୀରେ ଗୃହୀତ ପ୍ରସ୍ତାବଗୁଡ଼ିକ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବରିଷ୍ଠ ନାଗରିକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାଭୁକ୍ତ କରିବା, ବାର୍ଦ୍ଧକ୍ୟ ଭତ୍ତା ମାସିକ ଏକ ହଜାର ଟଙ୍କାକୁ ବୃଦ୍ଧି ଓ ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରି ସ୍ଥାନୀୟ ପୁଲିସ ଅସହାୟ ପରିଚୟପତ୍ର ପ୍ରଦାନ କରିବା, ଜିଲାସ୍ତରରେ ଥିବା ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସମାଧାନ ପ୍ରକୋଷ୍ଠକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ରେଳବିଭାଗ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ରେଳଯାତ୍ରା ସମୟରେ ଦିଆଯାଉଥିବା ରିହାତି ପୁନଃ ପ୍ରଚଳନ ଆଦି ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଗିରୀଶ ଚନ୍ଦ୍ର ଦାଶ, ବିଷ୍ଣୁ ପ୍ରସାଦ ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବିପ୍ଳବ କୁମାର ମହାନ୍ତି, ଦେବେନ୍ଦ୍ର ନାଥ ଚୌଧୁରୀ, ଶ୍ୟାମସୁନ୍ଦର ଜେନା, ଅନ୍ତର୍ଯ୍ୟାମୀ ପ୍ରଧାନ, ତ୍ରୀଦିବ କୁମାର ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା ଓ ରବି କୁମାର ପାଣିଗ୍ରାହୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯଶୋଦା ନନ୍ଦନ ଆଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ