ବରିଷ୍ଠ ନାଗରିକ ମଞ୍ଚର ୮ମ ବାର୍ଷିକ ସମ୍ମିଳନୀ ଜୁନ୍ ୧୬ରେ ସଫଳତା ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର,(ଯୁଗାଦ୍ଧ ନ୍ୟୁଜ୍) : ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ଅଷ୍ଟମ ବାର୍ଷିକ ଜିଲ୍ଲା ସମ୍ମିଳନୀ ପାଇଁ ମଙ୍ଗଳବାର ପୂର୍ବାହ୍ନରେ ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଜୁନ୍ ମାସ ୧୬ ତାରିଖ ରବିବାର ଦିନ ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀ ଦିନ ୧୦ଟାବେଳେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଅତିଥି ଓ ବକ୍ତାଭାବେ ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଦର ବିଧାୟକ ମଦନ ମୋହନ ଦତ୍ତ, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ସଂବିତ୍ କୁମାର ନାୟକ ଯୋଗଦେବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି । ଏହି ସମ୍ମିଳନୀରେ ଜିଲ୍ଲାର ୨୫ଟି ଆଞ୍ଚଳିକ ସଂଘରୁ ପ୍ରାୟ ୪୦୦ ପ୍ରତିନିଧି ଯୋଗଦେବେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା ପ୍ରଦାନ ପ୍ରଭୃତି ଆଇନର ତର୍ଜମା କରାଯିବ । ସମାଜରେ ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତାକୁ ସରକାର ବିନିଯୋଗ କରିବାପାଇଁ ଏହି ସମ୍ମିଳନୀରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବ । ତେଣୁ ସମ୍ମିଳନୀର ସଫଳତା ପାଇଁ ମଞ୍ଚତରଫରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି । ମଞ୍ଚର ଜିଲ୍ଲା ସଂପାଦକ ତଥା ରାଜ୍ୟ ଉପସଭାପତି ଲକ୍ଷ୍ମୀଧର ବେହେରା ସମ୍ମିଳନୀର ପ୍ରସ୍ତୁତି ସଂପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶଙ୍କ ସମେତ ହରମୋହନ ଦାଶ, ଡଃ ହରିଶ୍ଚନ୍ଦ୍ର ବେହେରା, ପ୍ରଫେସର ଅନନ୍ତ କୁମାର ପ୍ରଧାନ, ଶରତ ଚନ୍ଦ୍ର ଦାଶ ପ୍ରମୁଖ ବହୁ କର୍ମକର୍ତ୍ତା ଓ ସଦସ୍ୟ ସମ୍ମିଳନୀର କାର୍ଯ୍ୟକ୍ରମ ପରିଚାଳନା ଓ ପ୍ରତିନିଧିମାନଙ୍କ ଆତିଥ୍ୟ ସଂପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ