ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନବ ନିର୍ବାଚିତ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହାଟଡିହି ବ୍ଲକ ସୋସୋ ଠାରେ ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ସୋସୋର ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ସୋସୋ ପଞ୍ଚାୟତର ସରପଞ୍ଚ ରାଜ କୁମାର ଦାସ, ନରହରି ପାତ୍ର, ନାରାୟଣ ଚନ୍ଦ୍ର ରାଉତ, ରବିନ୍ଦ୍ର ନାଥ ରାଉତ, ବ୍ରଜମୋହନ ଭୋଇ, ବିଶ୍ୱରଞ୍ଜନ ବେହେରା, ଭୁବନାନନ୍ଦ ପଟ୍ଟନାୟକ, ଦେବେନ୍ଦ୍ର ପ୍ରଧାନ, ସୋସୋ ସମବାୟ ସମିତିର ପୁର୍ବତନ ସଭାପତି ପ୍ରଣବ ମହାନ୍ତି, ବିଦ୍ୟାଧର ପୁହାଣ, ଆଦିକନ୍ଦ ବେହେରା ପ୍ରମୁଖ ଯୋଗଦେଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ପ୍ରଥମଥର ପାଇଁ ହାଟଡିହି ବ୍ଲକକୁ ଏପରି ପଦବୀ ମିଳିଥିବାରୁ ଏହା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ । ୩୪ନଂ ଜୋନରେ ଥିବା ପଞ୍ଚାୟତର ବିଭିନ୍ନ ସମସ୍ୟା ଗୁହିକ ଉପରେ ସେ ଗୁରୁତ୍ୱ ଦେବାକୁ ବରିଷ୍ଠ ନାଗରିକ ମାନେ ପରାମର୍ଶ ଦେଇଥିଲେ । ବିଶେଷକରି ୩୪ନଂ ଜୋନର ୭ଟିଯାକ ପଞ୍ଚାୟତର ଚାଷୀମାନେ ଜଳସେଚନରୁ ବଞ୍ଚିତ ହେଉଥିବାରୁ କିପରି ଚାଷଜମି ଗୁଡିକ ଜଳସେଚିତ ହୋଇ ପାରିବ ସେନେଇ ପଦକ୍ଷେପ ନେବା ସହିତ ସୋସୋ ଡାକ୍ତରଖାନାରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିପାରୁ ନଥିବାରୁ ଏ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏଠାରେ ଅଧିକ ଡାକ୍ତର ନିଯୁକ୍ତି ସହିତ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନେଇ ସେ ଜିଲ୍ଲାପରିଷଦର ଆଗାମି ବୈଠକରେ ସମସ୍ୟା ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।