ବରିଷ୍ଠ ବିଜେଡି ନେତା ତଥା ହୋମିଓପ୍ୟାଥି ଡାକ୍ତର’ଙ୍କ ଅକାଳ ବିୟୋଗ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଗିଦିଘାଟୀ ଗ୍ରାମର ହୋମିଓପ୍ୟାଥି ଡାକ୍ତର ତଥା ବିଜେଡି ଦଳର ସକ୍ରିୟ ବରିଷ୍ଠ ସଦସ୍ୟ ତପନ କୁମାର ମଣ୍ଡଳଙ୍କ ୫୮ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି।ସୂଚନା ଅନୁସାରେ ଶନିବାର ଦିନ ହଠାତ୍ ତାଙ୍କ ରକ୍ତଚାପ ବୃଦ୍ଧି ପାଇବାରୁ ପ୍ରଥମେ ବହଳଦା ଡାକ୍ତରଖାନା ନିଆଯାଇ ପ୍ରାଥମିକ ଚିକିତ୍ସାପରେ ବାରିପଦା ପିଆରଏମ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ୨ଦିନ ଚିକିତ୍ସାଧିନ ରହିଲାପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା ତେବେ ବୁଧବାର ଦିନ କଟକ ନେବା ବାଟରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ।ତାଙ୍କ ମିଷ୍ଟଭାଷି ତଥା ସରଳ ବ୍ୟକ୍ତିତ୍ବ ଯୋଗୁଁ ସାଧାରଣରେ ପ୍ରିୟଜନ ହୋଇ ପାରିଥିବାବେଳେ ଅଞ୍ଚଳରେ ତାଙ୍କର ବେଶ୍ ଆଦର ରହିଛି।ତାଙ୍କ ବିୟୋଗରେ ସାଧାରଣରେ ଶୋକର ଛାୟା ଖେଳିଯାଇଥିଲାବେଳେ ତାଙ୍କ ଠାରୁ ଗରିବ ଦୁଃଖି ଓ ସାଧାରଣ ଲୋକେ ସ୍ବଳ୍ପ ମୂଲ୍ୟରେ ଚିକତ୍ସା ସେବା ପାଇପାରୁ ଥିଲେ ତେଣୁ ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ଘଟିଯାଇଛି।ଦିବଙ୍ଗତ ମଣ୍ଡଳଙ୍କ ପିତା ସ୍ବର୍ଗତ ରାଧାବଲ୍ଲଭ ମଣ୍ଡଳ ମଧ୍ୟ ହୋମିଓପ୍ୟାଥି ଡାକ୍ତର ଭାବେ ପ୍ରତିଷ୍ଠିତ ଥିଲେ| ପିତାଙ୍କ ପଦାଙ୍କ ଅନୁସରଣ କରି ହୋମିଓପ୍ୟାଥି ଡାକ୍ତର ଭାବେ କାର୍ଯ୍ୟରତ ରହିବା ସହିତ ରାଜନୀତିରେ ମଧ୍ୟ ସକ୍ରିୟ ରହି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।ତାଙ୍କ ପଛରେ ସ୍ତ୍ରୀ’ଙ୍କ ସହ ଜଣେ ପୁଅ ଓ ଝିଅଙ୍କୁ ଛାଡି ଯାଇଛନ୍ତି।


