ବରିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି : ବଡରମ୍ପାସ ସ୍ଥିତ ଜପିଦାସ ବିଦ୍ୟାମନ୍ଦିରର ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବର୍ତ୍ତମାନ ଆର.ବି ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଆବଣ୍ଟକ ଭାବେ କାର୍ଯ୍ୟକରୁଥିବା ନୃଷିହଂ ଚରଣ ପଣ୍ଡାଙ୍କୁ ହାଟଡିହି ହାଇସ୍କୁଲ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଯୁକ୍ତ ପଣ୍ଡା ୧୯୯୪ ମସିହାରେ ଜପିଦାସ ବିଦ୍ୟାମନ୍ଦିରରେ ଅତିରିକ୍ତ କଳାଶିକ୍ଷକ ଭାବେ କାର୍ଯ୍ୟାରମ୍ଭ କରିଥିବାବେଳେ ୨୦୧୧ରେ ମରୈଗାଁ ପଞ୍ଚାୟତ ହାଇସ୍କୁଲରେ କଳାଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ପରେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଜପିଦାସ ବିଦ୍ୟାମନ୍ଦିରର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ସେ ୨୦୧୨ ଠାରୁ ଆଜି ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଆବଣ୍ଟକ ଭାବେ କାର୍ଯ୍ୟକରି ଆସୁଥିଲେ । ସେ ଚଳିତମାସ ୩୧ତାରିଖ ଦିନ ଅବସର ଗ୍ରହଣ କରୁଥିବାରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ତାଙ୍କ ପାଇଁ ଶେଷ ପରୀକ୍ଷା ଥିବାରୁ ତାଙ୍କୁ ପ୍ରଶ୍ନପତ୍ର ଆବଣ୍ଟନ ଅଧିକାରୀ ଓ ସହଯୋଗୀ ମନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର କୁମାର କର, ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ନବଘନ ନାୟକ, ଅନିରୁଦ୍ଧ ସେଠୀ, ଅଶୋକ ଜେନା, ପରମାନନ୍ଦ ପରିଡା, କବି ପ୍ରସାଦ ରାଉତ, ରବିନାରାୟଣ ବାରିକ ପ୍ରମୁଖ ଯୋଗଦେଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ପଣ୍ଡା ଏକାଧରରେ ଜଣେ ସୁ ସାହିତ୍ୟିକ, କବି, ଲେଖକ, ସଂଗଠକ ଓ ପ୍ରକୃତ୍ତି ପ୍ରେମୀ ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା ।