ବରିଷ୍ଠ ସାମ୍ବାଦିକ ଭବାନୀ ପରିଜାଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର,(ୱାଇଏନ୍ଏସ୍): ବରିଷ୍ଠ ସାମ୍ବାଦିକ ତଥା ପାକ୍ଷିକ ସମ୍ବଦପତ୍ର ‘ମୋ ଓଡ଼ିଶା’ର ସମ୍ପାଦକ ଭବାନୀ ଶଙ୍କର ପରିଜାଙ୍କ ଅକାଳ ବିୟୋଗରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଆୟୋଜିତ ଶୋକସଭାରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ପରିଜା ଜଣେ ନିର୍ଭୀକ, ନିରପେକ୍ଷ ସାମ୍ବାଦିକ ଭାବେ ଦୀର୍ଘ ଚାରି ଦଶନ୍ଧି ଧରି ସକ୍ରିୟ ଥିଲେ । କେବଳ ସାମ୍ବାଦିକତା ନୁହେଁ, ସାହିତ୍ୟ, ସଂସ୍କୃତି, ରାଜନୀତି ଏବଂ ସମାଜସେବାରେ ମଧ୍ୟ ତାଙ୍କର ପ୍ରଭାବ ରହିଥିଲା । ତାଙ୍କର ଉଚ୍ଚକୋଟୀର ସାମ୍ବାଦିକତା ପାଇଁ ବିଭିନ୍ନ ମହଲରେ ସେ ବେଶ୍ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଏକାଡ଼େମୀର ଅଧ୍ୟକ୍ଷ ସଞ୍ଜୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ କଂଗ୍ରେସ ବାର୍ତ୍ତାର ସମ୍ପାଦକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ନେତାର ସମ୍ପାଦକ ଜୀମୁତ ମଙ୍ଗରାଜ, ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନା, ବିଜୟ ପଣ୍ଡା, ରମେଶ ଚନ୍ଦ୍ର ସ୍ୱାଇଁ, ବିବେକାନନ୍ଦ ଜେନା, ଗଣେଶ ମିଶ୍ର, ଦେବକାନ୍ତ ମହାପାତ୍ର, ଉମେଶ ସାମନ୍ତରାୟ, ମାଧବ ବେଉରା, ବଳରାମ ପ୍ରସାଦ ନନ୍ଦ, ଅଲ୍‌ଫା ରାୟ, ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପରିଜାଙ୍କ ନିର୍ଭୀକ ସାମ୍ବାଦିକତା ଉପରେ ଆଲୋକପାତ କରିବା ସହ ସ୍ମୃତିଚାରଣ କରିଥିଲେ । ଶେଷରେ ଏକାଡ଼େମୀର ସମ୍ପାଦିକା ରୀତାଞ୍ଜଳି ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ