ବରୀ ବିଜେପି କନ୍ଦଳ : ମନୋଜଙ୍କୁ ଟକ୍କର ଦେବାକୁ ପୁର୍ବତନ ଓ ପରାଜିତଙ୍କ ମହା ମିଳନ ପ୍ରସ୍ତୁତି
ବରୀ,(ଚୈତନ୍ୟ ଜେନା) : ବରୀ ବିଜେପି ରାଜନୀତିରେ ଗୋଷ୍ଠି କନ୍ଦଳ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏକ ନୂଆ ଚର୍ଚ୍ଚା ଯୋରଧରିଛି। କିଛିଦିନ ତଳେ ରସୁଲପୁର ବ୍ଲକ ଅତଲାପୁର ପଞ୍ଚାୟତର ଏକ କ୍ରିକେଟ ଟୁର୍ଣାମେନ୍ଟ ର ଫାଇନାଲରେ ମୂଖ୍ୟଅତିଥି ଭାବେ ବିଜେପି ରାଜ୍ୟ ପ୍ରବକ୍ତା ମନୋଜ ମହାପାତ୍ର ଯୋଗଦେଇ ତାଙ୍କର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଥିବା ବିଷୟ ଜୋରଦାର ଚର୍ଚ୍ଚା ହେଉଥିଲା। ତାଙ୍କର ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ବରୀ ବିଜେପିର ନେତୃତ୍ୱ ସଂପର୍କରେ ଏକ ସ୍ପଷ୍ଟ ସଂକେତ ବୋଲି ଆଲୋଚନା ହେଉଛି। ମନୋଜ ମହାପାତ୍ରଙ୍କ ସହିତ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ବିଜେପି ସଭାପତି ଦେବଜାନୀ ପ୍ରଧାନ, ୩୬ନଂ ଜୋନ୍ ଜିଲା ପରିଷଦ ସଦସ୍ୟା ଭାରତୀ ବିଶ୍ବାଳ, ସିନେ ଅଭିନେତ୍ରୀ ରିୟା ଦେ ଓ ପୁନମ ମିଶ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁଃଶାସନ ସାହୁ ପ୍ରଭୃତି ଅତିଥି ମାନେ ଯୋଗଦେଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ବରୀ ନିର୍ବାଚନ ମଣ୍ଡଳୀରେ ହେଉଥିବା ବେଳେ ପୁର୍ବତନ ବିଧାୟିକା ସୁନନ୍ଦା ଦାସ, ପରାଜିତ ବିଜେପି ପ୍ରାର୍ଥୀ ଉମେଶ ଜେନା କିମ୍ବା ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦେଖିବାକୁ ମିଳି ନଥିଲା। ଏହି ଘଟଣାକୁ ଦେଖି ଉମେଶ ଏବଂ ସୁନନ୍ଦାଙ୍କ ଗୋଷ୍ଠି ନିଜର ସ୍ଥିତି ବଜାୟ ରଖିବାକୁ ବା ମନୋଜଙ୍କୁ ସାମ୍ନା କରିବାକୁ ହେଲେ ଗୋଷ୍ଠି କନ୍ଦଳକୁ ଭୂଲି ଏକତ୍ରିତ ହେବାକୁ ମନ ବଳାଇଲେଣି। ଉଭୟ ଗୋଷ୍ଠି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବଡ ମଙ୍ଗଳପୁର ଠାରେ କିମ୍ୱା ବରୀ ବ୍ଲକ ଅନ୍ତର୍ଗତ ଖରି ପଡ଼ିଆ ଠାରେ ଏକ ମହା ମିଳନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିବା ଖବର ମିଳିଛି। ଇତି ମଧ୍ୟରେ ଜଣେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଓ କିଛି ଛାମୁଆଁ କର୍ମୀ ମନୋଜଙ୍କୁ ଭେଟିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।


