ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ସ୍ୱଚ୍ଛ ଭାରତ ମିଶନ ଓ ସ୍ୱଚ୍ଛ ଗଞ୍ଜାମ, ସୁନ୍ଦର ଗଞ୍ଜାମ ପରିକଳ୍ପନାକୁ ସଫଳ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ୨ ବର୍ଷ ଧରି ପ୍ରୟାସ ଆରମ୍ଭ କରାଯାଇଛି । ସହର ଓ ଗ୍ରାମାଞ୍ଚଳରେ ଏକ ସୁସ୍ଥ ବାତାବରଣ ଓ ପ୍ଳାଷ୍କିକ ଓ ପଲିଥିନ୍ ମୁକ୍ତ ପରିବେଶ ଉପରେ ଫୋକସ କରାଯାଇଛି । ରାସ୍ତାଘାଟ ପରିଷ୍କାର ଓ ପରିଚ୍ଛନ୍ନତା ସହ ଉଭୟ ତରଳ ଓ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରି ସ୍ୱଚ୍ଛ ପରିବେଶ ଓ ପ୍ରଦ୍ୟୁଷଣ ମୁକ୍ତ ଅଞ୍ଚଳ ଉପରେ ନିର୍ମିତ ହୋଇଛି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଓ ପୃଥିକରଣ କେନ୍ଦ୍ର । ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ଦୁର୍ବନ୍ଧ, ଶାସନଆମ୍ବଗାଁ ଓ ଗଣ୍ଡଳା ପଞ୍ଚାୟତର କାର୍ଯ୍ୟକ୍ଷମ ହୋଇଛି ଏମସିସି ଓ ଏମଆରଏଫ । ନିତ୍ୟପ୍ରତ୍ୟ କଠିନ ଓ ତରଳ ବର୍ଜ୍ୟବସ୍ତୁ ସମେତ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀକୁ କିଭଳି ଉପାୟରେ ସଂଗ୍ରହ ଓ ପରିଚାଳନା କରାଯିବ ସେ ସମ୍ପର୍କରେ ଗୁରୁବାର ଏକ କର୍ମଶାଳା ହିଞ୍ଜିଳିକାଟୁ ଏମସିସି, ଏମଆରଏଫ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳିକାଟୁ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତାଲିମ ପ୍ରଶିକ୍ଷକ ଡ଼ଃ ମନୋରଞ୍ଜନ ସାହୁ ଉପସ୍ଥିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ । ତୃଣମୂଳ ସ୍ତରରେ ଗ୍ରାମ୍ୟ ରାସ୍ତା, ନାଳ ନର୍ଦମା ଓ ପ୍ରତି ଘରୁ ଯେପରି ବର୍ଜ୍ୟବସ୍ତୁ ସଂଗ୍ରହ ହୋଇପାରିବ ସେ ଦିଗରେ ଯତ୍ନବାନ ହେବାକୁ ପୈାର ନିର୍ବାହୀ ଅଧିକାରୀ ଡ଼ଃ ସାହୁ ଅନୁରୋଧ କରିଥିଲେ । ଆୟୋଜିତ କର୍ମଶାଳାରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଗ୍ରାମ୍ୟ ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ, ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିଲେ ।