ବର୍ଦ୍ଧନପୁରରେ ଯୋଗ ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବ୍ଲକ ଅନ୍ତର୍ଗତ ବର୍ଦ୍ଧନପୁର ମଣିନାଗେଶ୍ୱର ବାତ୍ୟାଶ୍ରୟ ସ୍ଥଳରେ ଏକ ନିଃଶୁଳ୍କ ଯୋଗ ଶିବିର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଯୋଗଗୁରୁ ରାଜୀବ କୁମାର ନାୟକ ଏଥିରେ ଯୋଗଦେଇ ନିରୋଗ ସ୍ୱାସ୍ଥ୍ୟ, ମାନସିକ ଓ ଶାରୀକ ସନ୍ତୁଳନ ରକ୍ଷାରେ ଯୋଗର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସକାଳେ ବିଛଣା ଛାଡ଼ିବାଠାରୁ ରାତିର ଶୋଇବା ପର୍ଯ୍ୟନ୍ତ ସମୟାନୁସାରେ ପ୍ରତିଟି କ୍ରିୟାକର୍ମ ସାଙ୍ଗକୁ ଖାଦ୍ୟ ସଂଯମତା ଓ ନିୟମିତ ଯୋଗ ପ୍ରାଣାୟମ ଉପରେ ଯୋଗ ଗୁରୁ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ । ପରେ ଊପସ୍ଥିତ ବ୍ୟକ୍ତିମାନଙ୍କୁ ସେ ଯୋଗଶିକ୍ଷା ଦେଇଥିଲେ । ବର୍ଦ୍ଧନପୁର ସରପଞ୍ଚ ଆରତୀ ଶତପଥୀ, ସମିତି ସଭ୍ୟା ହରପ୍ରିୟା ମହାକୁଡ଼, ସମାଜସେବୀ ଲୋକନାଥ ଶତପଥୀ, ଗୋପୀନାଥ ମହାକୁଡ଼, ବିରଞ୍ଚି ନାରାୟଣ ପଣ୍ଡା, ସାମ୍ବାଦିକ ରବିରଞ୍ଜନ ଦାସ ପ୍ରମୁଖ ଏଥିରେ ଯୋଗଦେଇ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ଦିଗରେ ଯୋଗଗୁରୁ ଶ୍ରୀ ନାୟକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ନିୟମିତ ବ୍ୟବଧାନରେ ଏହିଭଳି ଶିବିର ଆୟୋଜନ ପାଇଁ ସେମାନେ ମତ ଦେଇଥିଲେ । ବର୍ଦ୍ଧନପୁର ପଞ୍ଚାୟତ ସମେତ ଆଖାପାଖ ରସାଳପୁର, ଜୟଦେବକସବା ଓ ପଦ୍ମପୁର ପ୍ରଭୃତି ପଞ୍ଚାୟତରୁ ବହୁ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗଶିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ