ବର୍ଦ୍ଧିତ ଦରମାରୁ ବଞ୍ଚିତ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) :-ବର୍ଦ୍ଧିତ ଦରମା (ଏମଏସଇପି)ର ବକେୟା ରାଶି ପ୍ରଦାନ ଦାବିରେ ନିଖଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ, ସଦର ବ୍ଲକ ଶାଖା ପକ୍ଷରୁ ବୁଧବାର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରମୋଦ କୁମାର ପାଢ଼ୀ ଓ ସାଧାରଣ ସମ୍ପାଦକ ଅରୁଣ କୁମାର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶିକ୍ଷକନେତା ସଞ୍ଜୟ ମଣ୍ଡଳ, ରାମଚନ୍ଦ୍ର ସିଂ, ନିରଞ୍ଜନ ଗିରି, ମନୋଜ କୁମାର ମାଝୀ, ରାକେଶ ହାଁସଦା ପ୍ରମୁଖ ଶିକ୍ଷକ ନେତାମାନେ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନରେ ସଦର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଉଦାସୀନତାର ତୀବ୍ର ସମାଲୋଚନା କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଚାକିରୀ କାଳ ୩୦ ବର୍ଷ ପୂରିବା ପରେ ସେମାନଙ୍କୁ ଏକ ବର୍ଦ୍ଧିତ ଦରମା ମିଳିବା ନେଇ ସରକାରୀ ନିଦ୍ଦେର୍ଶ ରହିଛି । ବାଲେଶ୍ୱର ଜିଲ୍ଲାରେ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରାଥମିକ ଶିକ୍ଷକମାନେ ଏହି ୩୦ ବର୍ଷିୟ ବର୍ଦ୍ଧିତ ଦରମା ପାଇ ସାରିଥିବା ବେଳେ କେବଳ ସଦର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପ୍ରିୟାପ୍ରୀତି ତୋଷଣ ଓ ଟାଳଟୁଳ ନୀତି ଯୋଗୁ ୨୦୧୬ ମସିହାରୁ ଯୋଗ୍ୟ ଶିକ୍ଷକମାନେ ଅଦ୍ୟାବଧି ଏହି ରାଶି ପାଇବାରେ ବଞ୍ôଚତ ହୋଇ ଚାଲିଛନ୍ତି । ବ୍ଲକ ଶିକ୍ଷା ବିଭାଗର ଅବହେଳା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ କମ ଦରମା ପାଉଥିବା ବେଳେ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ବି ପେନସନ ପ୍ରଦାନ କରାଯାଉଛି । ଏନେଇ ଶିକ୍ଷକ ସଂଘ ପକ୍ଷରୁ ସଦର ବ୍ଲକ ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ ଜାଣିଶୁଣି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବା ଶିକ୍ଷକ ନେତାମାନେ ଆରୋପ ଉଠାଇଛନ୍ତି । ବର୍ଦ୍ଧିତ ବେତନ ପାଇବା ପାଇଁ ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୮୦ରୁ ଅଧିକ ଯୋଗ୍ୟ ଶିକ୍ଷକ ଥିବାବେଳେ କେଉଁ ନୀତିରେ ମାତ୍ର ୮ ଜଣଙ୍କ ବେତନ ବୃଦ୍ଧି କରାଯାଇଛି ବୋଲି ବକ୍ତାମାନେ ପ୍ରଶ୍ନ କରିଥିଲେ । ଅନ୍ୟମାନଙ୍କୁ କେଉଁ କାରଣ ପାଇଁ ଏଥିରୁ ବଞ୍ôଚତ କରାଯାଇଛି, ସେନେଇ ସଂଘ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ସଦର ବ୍ଲକ ଶିକ୍ଷାଧିକାରୀଙ୍କ ଖାମଖିଆଲି କାର୍ଯ୍ୟଧାରା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଶିକ୍ଷକ ନେତାମାନେ ଚେତାବନୀ ଦେଇଥିଲେ ।