ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଦାବିରେ ରାଜରାସ୍ତାରେ ବିଜେପି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ସହ ୫ଦଫା ଦାବି ନେଈ ରାଜ୍ୟ ବିରୋଧୀ ଭାରତୀୟ ଜନତା ପାର୍ଟି ସୋମବାର ରାଜରାସ୍ତାକୁ ଓହ୍ଲାଇଛି । ରାଜ୍ୟ ସରକାର ବିଦ୍ୟୁତ ବଂଟନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଗତ ୩୦ ବର୍ଷ ଧରି ବିଭିନ୍ନ ବିଦ୍ୟୁତ କମ୍ପାନୀ ମାନଙ୍କୁ ବିଦ୍ୟୁତ ବଂଟନ ଦାୟିତ୍ୱ ଦେଇ ଆସୁଛନ୍ତି । ବିଦ୍ୟୁତ କ୍ଷେତ୍ରରେ କ୍ଷତି ଓ ଅହେତୁକ ଲାଭକୁ ଭରଣା କରିବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କର ବୃଦ୍ଧି ଘଟାଇ ଉପଭୋକ୍ତା ମାନଙ୍କ ଠାରୁ ସେହି ଅର୍ଥକୁ ଆଦାୟ କରୁଥିବା ନେଇ ବିଜେପି ଅଭିଯୋଗ କରିଛି । ବହୁ ରାଜ୍ୟ ବିଦ୍ୟୁତ ଶୁଳ୍କ ଉପରେ ସବସିଡ଼ ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର ସବସିଡ଼ ପ୍ରତି ଆଖି ବୁଜି ଦେଇଥିବା ନେଇ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ସୋମବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହର ନେଇ ସ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ । ପରେ ସ୍ଥାନୀୟ ବିଦ୍ୟୁତ ବିଭାଗୀୟ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେଠାରେ ଏକ ସଭାର ଆୟୋଜନ କରାଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷେଦଗାର କରିଥିଲେ । ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର , ପ୍ରଥମ ୧୦୦ ୟୁନିଟ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ କରିବା, ଗ୍ରାମାଂଚଳ ଗୁଡ଼ିକରେ ଲୋଭୋଲଟେଜ ରହୁଥିବା ବେଳେ ସଠିକ ଭୋଲଟେଜ ଯୋଗାଣ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରି ୨୪ ଘଂଟିଆ ବିଦ୍ୟୁତ ଯୋଗାଣ, କୃଷିକ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ସବସିଡ଼ ପ୍ରଦାନ, ବକେୟା ବିଦ୍ୟୁତ ପୈଠରେ ବିଳମ୍ବ ଘଟିଲେ କର୍ମଚାରୀଙ୍କ ଜୁଲମକୁ ବିରୋଧ କରାଯାଇଥିଲା । ପରେ ୫ ଦଫା ଦାବି ବିଶିଷ୍ଟ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟ ନାରାୟଣ ଦାଶଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ଉପସଭାପତି ମାଦବ ଗଉଡ଼, ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପ୍ରଦୀପ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଆକାଶ ପଟ୍ଟନାୟକ, ପିତଳ ମଣ୍ଡଳ ସାଧାରଣ ସମ୍ପାଦକ ନିଳମଣି ସ୍ୱାଇଁ, ଗଣ୍ଡଳା ମଣ୍ଡଳ ସଭାପତି ଉମାକାନ୍ତ ପାଢି, କଂଚୁରୁ ମଣ୍ଡଳ ପ୍ରତିନିଧି ବିକାଶ ମହାନ୍ତି, ସିକିରି ମଣ୍ଡଳ ସଭାନେତ୍ରୀ ରଶ୍ମିତା ବେହେରା, ହିଂଜିଳିକାଟୁ ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଦେବରାଜ ନାଇକ, ଭୂବନେଶ୍ୱର ନାହାକ, ବିଷ୍ଣୁପ୍ରସାଦ ଖାଡ଼ଙ୍ଗା, ସଂଜୟ ପ୍ରଧାନ, ମିନାକ୍ଷୀ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ