ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଶତାୟୁ ବୃଦ୍ଧ ହାଡ଼ିବନ୍ଧୁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ଯାଏଁ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ମାସିକ ଭତ୍ତା ପ୍ରଦାନ କରୁଛନ୍ତି । ଆର୍ଥିକ ସହାୟତା ରୂପେ ମାସକୁ ମାସ ୮୦ବର୍ଷରୁ କମ ବ୍ୟକ୍ତିଙ୍କୁ ୫୦୦ ଓ ତଦୁର୍ଦ୍ଧ ବ୍ୟକ୍ତିଙ୍କୁ ୭୦୦ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି । ଏହି ସହାୟତା ଅତି ଗରୀବ ଶ୍ରେଣୀର ବୃଦ୍ଧ ବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ହରିଜନ ଆଦିବାସୀ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ପ୍ରଦାନର ନିୟମ ରହିଛି। ପରିତାପର ବିଷୟ ଏବେ ବି ସୁଦ୍ଧା ସଠିକ ଲୋକଟିଏ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଦେଖାଯାଉଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଜାନଗଡ଼ିଆ ଗ୍ରାମର ହାଡ଼ିବନ୍ଧୁ ଜେନା ୧୦୦ବର୍ଷ ଅତିକ୍ରାନ୍ତ କରିଥିଲେ ସୁଦ୍ଧା ତାଙ୍କୁ ମାସକୁ ମାସ ୫୦୦ଟଙ୍କା ଭତ୍ତା ପ୍ରଦାନ କରାଯାଉଛି । ଆର୍ଥିକ ପରିସ୍ଥିତି ସେତେ ସ୍ୱଚ୍ଛଳ ନଥିବା ବେଳେ ହାଡ଼ିବନ୍ଧୁଙ୍କ ଭତ୍ତା ପଇସା ହିଁ ପରିବାର ପ୍ରତିପୋଷଣ ପାଇଁ କିଛି ମାତ୍ରାରେ ସାହାଯ୍ୟ କରିଥାଏ । ସେ ପ୍ରଥମରୁ ବାର୍ଦ୍ଧକ୍ୟ ଜନିତ ଭତ୍ତା ପାଇଆସୁଥିବା ବେଳେ ବର୍ଦ୍ଧିତ ଅର୍ଥ ରାଶି ତାଙ୍କୁ ଏଯାଏଁ ପ୍ରଦାନ କରାଯାଇନାହିଁ । ଏନେଇ ତାଙ୍କ ପୁଅ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓଙ୍କ ଯାଏଁ ଆପତ୍ତି ଅଭିଯୋଗ କରୁଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବି ହେଉଛି ।


