ବର୍ଦ୍ଧିତ ମହଙ୍ଗା ଭତ୍ତା ବାତିଲ
ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା କବଳରେ ଭାରତ । କରୋନା ମୁକାବିଲା ପାଇଁ ଏବେ ସାରା ଦେଶ ଲକ ଡାଉନ ରହିଛି । ଯାନାବାହାନ ଚଳାଚଳ ଠାରୁ ଆରମ୍ଭ କରି ଶିଳ୍ପ କାରଖାନା ସବୁ କିଛି ବନ୍ଦ ରହିଛି । ଲକଡାଉନ ଯୋଗୁଁ ଭାରତ ଏବେ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାହା ହେଲା କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ଉପରେ କଟକଣା ଲଗାଇଛନ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା କିସ୍ତିକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବାତିଲ କରିଦେଇଥିବା ଜଣାଯାଇଛି ।
ତଦନୁଯାୟୀ ୨୦୨୦ ଜାନୁଆରୀରୁ ଲାଗୁ ହୋଇଥିବା ବର୍ଦ୍ଧିତ ଡିଏ କିସ୍ତି ଆଉ ମିଳିବ ନାହିଁ । ଜୁଲାଇ ୧ ଓ ୨୦୨୧ ଜାନୁଆରୀ ବର୍ଦ୍ଧିତ କିସ୍ତି ମଧ୍ୟ ବାତିଲ କରିଦିଆଯାଇଛି । ତେବେ ବର୍ତ୍ତମାନ ହାରରେ ଡିଏ ଚାଲୁ ରହିବା ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଜାନୁଆରୀ ୨୦୨୦ରୁ ଜୁନ ୨୦୨୧ ଯାଏଁ କୌଣସି ବକେୟା ଡିଏ ଦିଆଯିବନାହିଁ । କରୋନା ପାଇଁ ଆର୍ଥିକ ସଂକଟ ହେତୁ ଡିଏ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହି କଟକଣା ସବୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଲାଗୁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ପେନସନ ଭୋଗୀଙ୍କୁ ବି ବର୍ଦ୍ଧିତ ଡିୟରନେସ ରିଲିଫ(ଡିଆର) ମିଳିବ ନାହିଁ । ଗତ ମାର୍ଚ୍ଚରେ ଡିଏ ଓ ଡିଆର ୪ ପ୍ରତିଶତ ବଢିଥିଲା । ନିଷ୍ପତ୍ତି ଅନୁସାରେ ପୂର୍ବ ପ୍ରଚଳିତ ହାରରେ ଡିଏ ଓ ଡିଆର ମିଳିବ । ୨୦୨୦ର ବର୍ଦ୍ଧିତ ଡିଏ ଓ ଡିଆର ବାବଦ ଅର୍ଥ ଏରିୟର ଆକାରରେ ବି ମିଳିବ ନାହିଁ ।