ବର୍ଷକରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲା ଅଢ଼େଇ କୋଟି ଟଙ୍କାର ରାସ୍ତା 

ହାଟଡିହି, (ବିକାଶ ବିଶ୍ୱାଳ) :-ହରିଲୁଟର ମାଧ୍ୟମ ପାଲଟିଛି ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠି । ପ୍ରକଳ୍ପ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି କିନ୍ତୁ ଗୋଟିଏ ବି ପ୍ରକଳ୍ପ ଠିକ ଭାବେ ନିର୍ମାର ହେଉନି । ହାଟଡିହି ବ୍ଲକ ଅଞ୍ଚଳରେ ଖଣିଜ ଅନୁଦାନ ପାଣ୍ଠିରେ ନିର୍ମାଣ ହେଉଥିବା ପ୍ରକଳ୍ପ ଗୁଡିକ ଅତି ନିମ୍ନମାନର ହେଉଥିବାରୁ ତାହା ଦିନ କେଇଟା ମଧ୍ୟରେ ନଷ୍ଟ ହୋଇ ଯାଉଛି । ଏପରି ଏକ ଅଭିଯୋଗ ଆସିଛି ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରୁ । ହାଟଡିହି ବ୍ଲକର ବଡରମ୍ପାସ- ଠାରୁ ଇଞ୍ଚୋଳ ରାସ୍ତାଟି ଉପରେ ନୁଆରମ୍ପାସ, ବଢରମ୍ପାସ ଓ ଇଞ୍ଚୋଳ, ଭୁତପଦା, ଅପସର ଆଦି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଏହି ରାସ୍ତାଟି ବ୍ଲକର ପ୍ରଥମ ପ୍ରଧାନମନ୍ତ୍ରୀ ସଡକ ଭାବେ ମାନ୍ୟତା ପାଇଁ ରାସ୍ତା ନିର୍ମାଣ ହୋଇଥିଲା । ମାତ୍ର ତାହା ଦୁଇବର୍ଷ ଭିତରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ପରେ ଗ୍ରାମବାସୀଙ୍କ ଅନେକ ଦାବିପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା କଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୨କୋଟି ୩୩ଲକ୍ଷ, ୭୩ହଜାର ଟଙ୍କା ଯୋଗାଇ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା । ଠିକାଦାର ଗଦାଧର ନାୟକ ରାସ୍ତା ନିର୍ମାଣ ଆରମ୍ଭ କରିଥିଲେ । ୧୫/୨/୨୦୧୯ରେ ରାସ୍ତା ନିର୍ମାଣ ଆରମ୍ଭ କରାଯାଇଥିବାବେଳେ ୧୪/ ୧୧/ ୨୦୨୯ରେ କାମ ସରିବା ପାଇଁ ଧାର୍ଯ୍ୟ ହୋଇଥିଲା । ତିନି କିଲୋମିଟର ପାଞ୍ଚଶହ ମିଟର ଲମ୍ବର ଏହି ରାସ୍ତାଟିକୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ଧାର୍ଯ୍ୟ ସମୟ ଭିତରେ କାମ ସରିନଥିଲା । କିନ୍ତୁ ଏତେ ନିମ୍ନମାନର କାମ ହେଲା ଯେ ତାହା ଦିନ କେଇଟା ଭିତରେ ଭାଙ୍ଗି ରୁଜି ନଷ୍ଟ ହୋଇଗଲା । କାମ ଚଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ କଂକ୍ରିଟ ରାସ୍ତାଟି ଫାଟି ଯିବାରୁ ତାକୁ ତରବରିଆ ଭାବେ ପ୍ଲାଷ୍ଟର ମାରି ଲୁଚାଇ ଦେଇଥିଲେ । ମାତ୍ର ଏବେ ରାସ୍ତାଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇ ଗଲାଣି । ରାସ୍ତାରେ ବିରାଟ ବିରାଟ ଫାଟ ସହିତ କେତେକ ସ୍ଥାନରେ ରାସ୍ତା ଦବି ଯିବାରୁ ପାଣିଜମି ରହି ଯାତାୟତ ଅନୁପଯୋଗୀ ହୋଇଗଲାଣି । ବିଶେଷକରି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ କୌଣସି ଅଧିକାରୀ ନରହିବାରୁ ଠିକାସଂସ୍ଥାର କର୍ମଚାରୀ ମାନେ ଯେମିତି ପାରିଲେ ସେମିତି କାମ କରିଗଲେ । କଂକ୍ରିଟ କାମର ଭାଗମାପ ଠିକ ଦେଲେନି କି କଂକ୍ରିଟ କାମ ଉପରେ ଠିକ ଭାବେ ପାଣି ମଧ୍ୟ ଦେଲେନି । ଯାହାଦ୍ୱାରାକି ରାସ୍ତାର ଅବସ୍ଥା ଏପରି ହେଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଦୀର୍ଘବର୍ଷ ଧରି କାଦୁଅ ପାଣିରେ ଘାଣ୍ଟି ହୋଇଛୁ । ଡିଏମଏଫ ଅନୁଦାନ ମିଳିବାପରେ ଭାବିଥିଲୁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ହେବ ଓ ଆମର ଦୁଖଃ ଦୁର ହେବ । କାରଣ ଏହି ରାସ୍ତା ୁପରେ କିଛି ଭାରିଯାନ ଯାଏନି । ତେଣୁ ରାସ୍ତାଟି ୧୦/୧୫ବର୍ଷ ଚାଲିଯିବ ବୋଲି ଆଶା କରିଥିଲୁ । କିନ୍ତୁ ଆମ ଆଶା ଆଶାରେ ରହିଗଲା । ଗୋଟିଏ ବର୍ଷ ବି ଗଲାନି । ଏବେ ରାସ୍ତାରେ ଅନେକ ସ୍ଥାନ ଫାଟି ଛିନଭିନ ହୋଇ ଗଲାଣି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି କୌଣସି ସୁଫଳ ମିଳୁନି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ