ବର୍ଷକରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲା ଅଢ଼େଇ କୋଟି ଟଙ୍କାର ରାସ୍ତା
ହାଟଡିହି, (ବିକାଶ ବିଶ୍ୱାଳ):ହରିଲୁଟର ମାଧ୍ୟମ ପାଲଟିଛି ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠି । ପ୍ରକଳ୍ପ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି କିନ୍ତୁ ଗୋଟିଏ ବି ପ୍ରକଳ୍ପ ଠିକ ଭାବେ ନିର୍ମାଣ ହେଉନି । ହାଟଡିହି ବ୍ଲକ ଅଞ୍ଚଳରେ ଖଣିଜ ଅନୁଦାନ ପାଣ୍ଠିରେ ନିର୍ମାଣ ହେଉଥିବା ପ୍ରକଳ୍ପ ଗୁଡିକ ଅତି ନିମ୍ନମାନର ହେଉଥିବାରୁ ତାହା ଦିନ କେଇଟା ମଧ୍ୟରେ ନଷ୍ଟ ହୋଇ ଯାଉଛି । କେବଳ ଠିକାଦାର ଡ ଯନ୍ତ୍ରୀ ମାନଙ୍କ ମାନଦଣ୍ଡ ବୃଦ୍ଧିରେ ସହାୟକ େହେଉଛି ଏହି ଖଣିଜ ଅନୁଦାନ ପାଣ୍ଠି । ଏପରି ଏକ ଅଭିଯୋଗ ଆସିଛି ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରୁ । ହାଟଡିହି ବ୍ଲକର ବଡରମ୍ପାସ- ଠାରୁ ଇଞ୍ଚୋଳ ରାସ୍ତାଟି ଉପରେ ନୁଆରମ୍ପାସ, ବଢରମ୍ପାସ, ଇଞ୍ଚୋଳ, ଭୁତପଦା, ଅପସର ଆଦି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଏହି ରାସ୍ତାଟି ବ୍ଲକର ପ୍ରଥମ ପ୍ରଧାନମନ୍ତ୍ରୀ ସଡକ ଭାବେ ମାନ୍ୟତା ପାଇଁ ରାସ୍ତା ନିର୍ମାଣ ହୋଇଥବଲା । ମାତ୍ର ତାହା ଦୁଇବର୍ଷ ଭିତରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ପରେ ଗ୍ରାମବାସୀଙ୍କ ଅନେକ ଦାବିପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୨କୋଟି ୩୩ଲକ୍ଷ, ୭୩ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା । ତିନି କିଲୋମିଟର ପାଞ୍ଚଶହ ମିଟର ଲମ୍ବର ଏହି ରାସ୍ତାଟିକୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ଏତେ ନିମ୍ନମାନର କାମ ହେଲା ଯେ ତାହା ଦିନ କେଇଟା ଭିତରେ ଭାଙ୍ଗି ରୁଜି ନଷ୍ଟ ହୋଇଗଲା । କାମ ଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ କଂକ୍ରିଟ ରାସ୍ତାଟି ଫାଟି ଯିବାରୁ ତାକୁ ତରବରିଆ ଭାବେ ପ୍ଲାଷ୍ଟର ମାରି ଲୁଚାଇ ଦିଆଗଲା । ମାତ୍ର ଦିନ କେଇଟା ଭିତରେ ରାସ୍ତାଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇ ଗଲାଣି । ରାସ୍ତାରେ ବିରାଟ ବିରାଟ ଫାଟ ସହିତ କେତେକ ସ୍ଥାନରେ ରାସ୍ତା ଦବି ଯିବାରୁ ପାଣିଜମି ରହି ଯାତାୟତ ଅନୁପଯୋଗୀ ହୋଇଗଲାଣି । ଫାଟ ସ୍ଥାନ ମାନଙ୍କରେ ସାଇକେଲ ଓ ବାଇକ ଚକ ପସିଯିବାରୁ ଦୁର୍ଘଟଣା ମଧ୍ୟ ଘଟୁଛି । ବିଶେଷକରି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ କୌଣସି ଅଧିକାରୀ ଉପସ୍ଥିତ ନରହି କାମର ଉପଯୁକ୍ତ ତଦାରଖ ନକରିବାରୁ ଠିକାସଂସ୍ଥାର କର୍ମଚାରୀ ମାନେ ଯେମିତି ପାରିଲେ ସେମିତି କାମ କରିଗଲେ । କଂକ୍ରିଟ କାମର ଭାଗମାପ ଠିକ ଦେଲେନି କି କଂକ୍ରିଟ କାମ ଉପରେ ଠିକ ଭାବେ ପାଣି ମଧ୍ୟ ଦେଲେନି । ଯାହାଦ୍ୱାରାକି ରାସ୍ତାର ଅବସ୍ଥା ଏପରି ହେଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଦୀର୍ଘବର୍ଷ ଧରି କାଦୁଅ ପାଣିରେ ଘାଣ୍ଟି ହୋଇଛୁ । ଡିଏମଏଫ ଅନୁଦାନ ମିଳିବାପରେ ଭାବିଥିଲୁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ହେବ ଓ ଆମର ଦୁଖଃ ଦୁର ହେବ । କାରଣ ଏହି ରାସ୍ତା ଉପରେ କିଛି ଭାରିଯାନ ଯିବା ଅସିବା କରେନି । ତେଣୁ ରାସ୍ତାଟି ଅତି କମରେ ୧୦/୧୫ବର୍ଷ ଚାଲିଯିବ ବୋଲି ଆଶା କରିଥିଲୁ । କିନ୍ତୁ ଆମ ଆଶା ଆଶାରେ ରହିଗଲା । ଗୋଟିଏ ବର୍ଷ ବି ଗଲାନି । ଏବେ ରାସ୍ତାରେ ଅନେକ ସ୍ଥାନ ଫାଟି ଛିନଭିନ ହୋଇ ଗଲାଣି । ଏପରିକି ଗତ ଶିବରାତ୍ରୀ ସମୟରେ ଗାଁରେ ଜନସମାଗମ ଥିବା ଦୃଷ୍ଟିରୁ ନିଜ ହାତରୁ ପଥରଗୁଣ୍ଡ ପକାଇ ଯାତାୟତ ଉପଯୋଗୀ କରିଥିଲେ । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି କୌଣସି ସୁଫଳ ମିଳୁନି ବୋଲି ସରପଞ୍ଚ ସଶ୍ମିତା ମହାପାତ୍ର ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।