ବର୍ଷାକୁ ଦେଖି ଛାଷୀ ମନରେ ଛନକା ; ୧୫ଦିନ ହେବ ବାହାରେ ପଡିରହିଛି ଶହଶହ ଧାନବସ୍ତା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ନଅଗୋଟି ସେବା ସମିତି ସହିତ ପାଞ୍ଚଗୋଟି ଏସଏଚଜିକୁ ଧାନକ୍ରୟ ପାଇଁ ପ୍ରଶାସନ ଦାୟିତ୍ୱ ଦେଇଛି । ହେଲେ ଅନେକ ଜାଗାରେ ମିଲର ନଆସିବା କାରଣରୁ ଚାଷୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣବାଡ ଗ୍ରାମ ସହିତ ବୟାଁ, ଚନ୍ଦ୍ରଭାନୁପୁର, ଫତେପୁର , ଉତ୍ତରବାଡ, ମନୋହରପୁର ପ୍ରମୁଖ ଗ୍ରାମର ଚାଷୀମାନେ ମଣ୍ଡିରେ ଧାନ ରଖି ଏବେ ଚିନ୍ତାରେ ପଡିଛନ୍ତି । ସ୍ଥାନୀୟ ବାବାମଣୀ ଏସଏଚଜି ପକ୍ଷରୁ ଧାନକ୍ରୟ କରାଯାଉଥିବାବେଳେ ୧୫ଦିନ ହେବ ମିଲର ନଆସିବା କାରଣରୁ ଚାଷୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତବର୍ଷ ୪୩୬ଜଣ ଚାଷୀ ଏସଏଚଜି ନିକଟରେ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଥିବାବେଳେ ତନ୍ମଧ୍ୟରୁ ୧୩ହଜାର ୩୨୬କୁଇଣ୍ଟାଲ ଧାନ ଇତିମଧ୍ୟରେ କ୍ରୟ ସରିଲାଣି । ପରବର୍ତ୍ତ ସମୟରେ ଯେଉଁ ଚାଷୀମାନେ ମଣ୍ଡିରେ ଧାନ ଦେବା ପାଇଁ ଟୁକନ ପ୍ରାପ୍ତ ହୋଇଥିଲେ । ସେମାନେ ଦୀର୍ଘ ୧୫ଦିନ ହେବ ଧାନ ଆଣି ଜଗି ବସିଛନ୍ତି । ଏସଏଚଜି ସହିତ ଚୁକ୍ତିବଦ୍ଧ ହୋଇଥିବା ମିଲର କତ୍ତୃପକ୍ଷ ଧାନକୁ ଆଜି ନେବୁ କାଲି ନେବୁ କହି ସମୟ ଗଡାଇ ଚାଲିଛନ୍ତି । ଖରାକାକରରେ ଧାନ ପଡିରହିଥିବାବେଳେ ଅଚାନକ ବର୍ଷା ଆସିବା କାରଣରୁ ଚାଷୀମନରେ ଏବେ ଛନକା ପଶିଯାଇଛି । ଏବେ ମଣ୍ଡିରେ ପ୍ରାୟ ୨୫ହଜାର କୁଇଣ୍ଟାନ ଧାନ ଗଚ୍ଛିତ ଥିବାବେଳେ ଆହୁରି ଅନେକ ଚାଷୀ ଧାନ ଆଣିବା ପାଇଁ ବ୍ୟାଗ୍ର ଅଛନ୍ତି । ୧୫ଦିନ ହେବ ଚାଷୀମାନେ ଧାନ ରଖି ଶୋଇଥିଲେ ସୁଦ୍ଧା ଯୋଗାଣ ବିଭାଗ ଅଧିକାରୀ ଓ ମିଲର କତ୍ତୃପକ୍ଷ ଏହା ଉପରେ ଦୃଷ୍ଟି ନଦେବା ପରିତାପର ବିଷୟ ପାଲଟିଛି । ଏନେଇ ଆଜି ଚାଷୀ ସ୍ଥାନୀୟ ସରପଞ୍ଚ ତଥା ଚାଷୀ ପ୍ରଶାନ୍ତ ସାହୁ, ପ୍ରାକ୍ତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ବାମଦେବ ସାହୁ, ଗୋପାଳ ଦାସ, ଘନଶ୍ୟାମ ଦାସ, ଗୌରହରି ସେଠୀ, ମହେଶ୍ୱର ପାତ୍ର, ଗଜେନ୍ଦ୍ର ପଣ୍ଡା, ଉମେଶ ପାଣିଗ୍ରାହୀ, ବିଜୟ ପରିଡା ପ୍ରମୁଖ ଯୋଗାଣ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ମିଲ କତ୍ତୃପକ୍ଷଙ୍କ ମତାମତ ନେବାରୁ ଯଥାଶୀଘ୍ର ମଣ୍ଡିରୁ ଧାନ ଉଠିଯିବ ବୋଲି କହିଛନ୍ତି । ଏପଟେ ମଣ୍ଡିରେ ଧାନକ୍ରୟ ବ୍ୟବସ୍ଥାକୁ ତ୍ୱରାନ୍ନିତ କରାନଗଲେ ଆସନ୍ତା ଶୁକ୍ରବାର ଦିନ ଚାଷୀମାନେ ରାଜପଥରେ ଧାନବସ୍ତା ରଖି ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ