ବର୍ଷାଭାବରୁ ଜମି ଫାଟି ପଡିଛି, ଚାଷୀଙ୍କ ଆତ୍ମାହୁତି ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଚଳିତ ବର୍ଷ ବର୍ଷାର ଘୋର ଅଭାବ ଦେଖାଦେଇଛି । ଏଥି ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମରୁଡି ପରିସ୍ଥିତି ଉପୁଜିଛି । ଢିପ ଜମିରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଉଠାଜଳସେଚନ ପ୍ରକଳ୍ପର ବ୍ୟବସ୍ଥା କରାଯାଇଛି । ଗତ ୫ବର୍ଷ ତଳେ ଅର୍ଥାତ ୨୦୧୬ ମସିହାରେ ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉଠାଜଳସେଚନ ପ୍ରକଳ୍ପକୁ ୫ବର୍ଷ ବିତିଯାଇଛି । ହେଲେ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ବର୍ଷାଭାବ ଯୋଗୁଁ ମରୁଡି ପରିସ୍ଥିତି ଦେଖା ଦେବା ସହ ଚାଷଜମି ଫାଟି ଆଁ ହୋଇ ରହିଛି । ଗତ ୨ବର୍ଷ ହେଲା କରୋନା ଜନିତ ଲକ୍‌ଡାଉନ୍‌ରେ ଚାଷୀଙ୍କ ଆର୍ଥିକ ସ୍ଥିତି ଭାଙ୍ଗି ପଡିଥିବା ବେଳେ ବର୍ତ୍ତମାନର ଏହି ମରୁଡି ପରିସ୍ଥିତି ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଆଗାମୀ ଦିନରେ ଫସଲ ବିନା ଚାଷୀ କିପରି ପରିବାର ପରିପୋଷଣ କରିବୁ ବୋଲି ପ୍ରଶ୍ନ କରି ଆତ୍ମହୁତିର ଚେତାବନୀ ଦେଇଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଏହି ଉଠାଜଳ ସେଚନ ପ୍ରକଳ୍ପ ଗୁଡିକ ଅଚଳା ହୋଇପଡିଛି । ଫଳରେ ଚାଷୀ ଏହି ପ୍ରକଳ୍ପରୁ କୌଣସି ଲାଭ ଉଠାଇ ନ ପାରି ବଞ୍ôଚତ ହେଉଛନ୍ତି । ଜିଲ୍ଲାର କେଉଁଠି ଚାଷଜମି ଫାଟି ଆଁ କଲାଣି ତ ଅନ୍ୟ କେଉଁଠି ଧାନ ତଳି ପୋଡି ଗଲାଣି । ଏପରି ଏକ ଚିତ୍ର ଜିଲ୍ଲାର ମୋହନା ବ୍ଲକର ଅଡବା ଗ୍ରାମାଞ୍ଚଳରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଗତ ୨୦୧୬ ମସିହାରେ ଢିପ ଜମିରେ ଜଳସେଚନ ପାଇଁ ନିର୍ମାଣ କରାଯାଇଥିବା ଉଠା ଜଳସେଚନ ପ୍ରକଳ୍ପକୁ ୫ବର୍ଷ ପୁରିଲା । ତଥାପି ଏହି ପ୍ରକଳ୍ପ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଚାଷୀ ପ୍ରକଳ୍ପର ସୁଫଳ ପାଇବା ପରିବର୍ତ୍ତେ ହନ୍ତସନ୍ତ ହେଉଛନ୍ତି । ଅଡବା ଗ୍ରାମର ହରଭଙ୍ଗୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ରହିଛି ୨ଶହରୁ ଅଧିକ ଢିପ ଚାଷଜମି । ଏହି ଜମିକୁ ଜଳସେଚନ କରିବା ଉଦେଶ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷରେ ଉଠାଜଳସେଚନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ବିଦ୍ୟୁତ ଚାଳିତ ମୋଟର ପମ୍ପ ହାଉସ ନଦୀ ତଟରେ ବସାଯାଇଥିଲା । ଢିପ ଜମିକୁ ଜଳସେଚନ ପାଇଁ ପାଇପ ଯୋଗେ ୯ଗୋଟି ଜଳ ଉତ୍ସ ନିର୍ମାଣ କରାଯାଇଛି । ନିର୍ମିତ ଏହି ଉଠାଜଳସେଚନ ପ୍ରକଳ୍ପଟି ଏବେ ବି ଅଧାପନ୍ତରିଆ ଅବସ୍ଥାରେ ପଡିଛି । ପ୍ରକଳ୍ପର ଅଧିକାଂଶ ଯନ୍ତ୍ରାଂଶ ଭାଙ୍ଗିରୁଜି ଗଲାଣି । ନିର୍ମାଣକୁ ୫ବର୍ଷ ବିତିଗଲାଣି । ସୁବିଧା ପାଇବାକୁ ଥିବା ୫୨ ଚାଷୀ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି । ଚଳିତ ବର୍ଷ ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କରିଛି । ଜମିରେ ଲାଗିଥିବା ମକା ଓ ଧାନ ତଳି ଜଳିଗଲାଣି । ସାହୁକାରଙ୍କ ଠାରୁ ଧାରକରଜ କରି ବିହନ ଓ ସାର ଆଣିଥିବା ଚାଷୀ ଋଣ ପରିଶୋଧ କିପରି କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ମାସକ ଭିତରେ ପ୍ରକଳ୍ପରୁ ସୁଫଳ ନ ମିଳିଲେ ସମୂହ ଆତ୍ମାହୂତି ଦେବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ବିଭୀଷଣ ପାତ୍ର, କୃଷ୍ଣଚନ୍ଦ୍ର ପୁଜାରୀ, ସୀମାଞ୍ଚଳ ସାହୁ ଓ ଦେବାନନ୍ଦ ପାଇକ । ଉକ୍ତ ଦୁଇ ପ୍ରକଳ୍ପକୁ କାର୍ଯ୍ୟାକୀର କରିବା ଓ ଜମିକୁ ଜଳସେଚନ କରିବାକୁ ଚାଷୀମାନେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଜଣାଇ ଆସୁଛନ୍ତି । ହେଲେ କୌଣସି ସୁଫଳ ମିଳୁନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ