ବର୍ଷା ଦିନେ ଗାଁ ରାସ୍ତା ଅବସ୍ଥା ବେହାଲ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଂଜ ଜିଲ୍ଲା ବଡ଼ସାହି ବ୍ଳକ ଅନ୍ତର୍ଗତ ପ୍ରତାପପୁର ପଂଚାୟତର ହରିପୁର ଗ୍ରାମ ହେଉଛି ବ୍ଳକରେ ଏକ ଆଦର୍ଶ ଗ୍ରାମ । ଉକ୍ତ ଗ୍ରାମର ଉନ୍ନତିକରଣ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହରିପୁର ଗ୍ରାମକୁ ଗସ୍ତ ସମୟରେ ୪୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ।ତଥାପି ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ବେପରୁଆ ମନୋଭାବ ଯୋଗୁଁ ଗାଁର ଅବସ୍ଥା ସୁଧୁରି ପାରିନାହିଁ।ଯାହାକି ଗାଁ ରାସ୍ତାରୁ ହିଁ ଜଣାପଡେ।ସାମାନ୍ୟ ବର୍ଷା ହେଲେ ଗାଁ ଭିତର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡେ । ଫଳରେ ଗ୍ରାମବାସୀ ଯାତାୟାତ କରିବା କଷ୍ଟକର ହୋଇଥାଏ।ଉକ୍ତ ରାସ୍ତାକୁ ମରାମତି ପାଇଁ ଗାଁ ଲୋକେ ୱାର୍ଡ ସଭ୍ୟ,ସରପଞ୍ଚ, ପରେ ବ୍ଳକ ପ୍ରଶାସନକୁ ଜଣାଉଥିଲେ ମଧ୍ୟ କେବେବି ଏହାର ସୁଫଳ ମିଳିପାରି ନାହିଁ।ଏଥିପ୍ରତି ସେମାନେ ଆଦୌ କର୍ଣ୍ଣପାତ ମଧ୍ୟ କରୁ ନ ଥିବା ଗ୍ରାମରୁ ଅଭିଯୋଗ ମିଳୁଛି।ଏହାକୁ ପ୍ରତିବାଦ କରି ହରିପୁର ଲୋକେ ନିଜ ଗାଁ ଭିତର ରାସ୍ତାରେ ଥିବା କାଦୁଅ ଉପରେ ଧାନ ତଳି ରୋଇଲେ।ଏ ସମ୍ପର୍କରେ ଖବର ପାଇ ସରପଞ୍ଚ ସସ୍ମିତା ନାଏକ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସହିତ ଡ୍ରେନ ନିର୍ମାଣ ପାଇଁ ବ୍ଳକ କୁ ପ୍ରପୋଜାଲ ଦେଇସାରିଛି।ସହକାରୀ ଯନ୍ତ୍ରୀ ଓ ଜେ ଇ ଆସି ଦେଖି ଯାଇଛନ୍ତି।ପ୍ରାୟ ୧୫/୨୦ ଦିନ ମଧ୍ୟରେ କାମ ଆରମ୍ଭ ହୋଇଯିବ ବୋଲି କହିଥିଲେ।ଏହି ପ୍ରତିଶ୍ରୁତି ପାଇବା ପରେ ଏଥିରୁ ଗ୍ରାମବାସୀ ନିବୃତ୍ତ ହୋଇଥିଲେ।


