ବର୍ଷା ପାଣି ଘେରରେ ପନିପରିବା ବ୍ୟବସାୟୀ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ କ୍ଷୁଦ୍ର ପନିପରିବା ବ୍ୟବସାୟୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି । ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏନସି ପ୍ରଶାସନ ପକ୍ଷରୁ ଏନଏସିରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଛତ୍ରପୁର ଉଚ୍ଚ ବାଳିକା ବିଦ୍ୟାଳୟ ରୋଡ୍ ରେ ଥିବା ପନିପରିବା ବ୍ୟବସାୟୀ ମାନଙ୍କୁ ସହରର ପୃଥକ୍ ପୃଥକ୍ ସ୍ଥାନରେ ବ୍ୟବସାୟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶକୁ ଆଖି ଆଗରେ ରଖି ବ୍ୟବସାୟୀ ମାନେ ନିଜ ନିଜ ସ୍ଥାନରେ ବ୍ୟବସାୟ କରି ନିଜ ପରିବାର ପୋଷଣ କରି ଆସୁଛନ୍ତି । ଅପର ବସଷ୍ଟାଣ୍ଡ୍ ସ୍ଥିତ ପଶୁ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ପନିପରିବା ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ଦୁଇ ଦିନ ହେଲା ଛତ୍ରପୁରରେ ବର୍ଷା ହେଉଥିବା ବେଳେ ଏହି ବର୍ଷା ପାଣି ସଂପୃକ୍ତ ଅଂଚଳରେ ଠିକ୍ ଭାବେ ନିଷ୍କାସନ୍ ନହୋଇଥିବାରୁ ବର୍ଷା ପାଣି ପନିପରିବା ବ୍ୟବସାୟ କରୁଥିବା ସ୍ଥାନରେ ଜମି ରହି ବ୍ୟବସାୟୀ ମାନେ ବର୍ଷା ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ସଦର ମହକୁମା ତଥା ଜିଲ୍ଲାପାଳଙ୍କ ବାସଭବନର ପଛ ପଟେ ଏପରି ବ୍ୟବସ୍ଥା ହୋଇଥିବା ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ତେଣୁ ଏନଏସି ପକ୍ଷରୁ ବର୍ଷା ନିଷ୍ପାସନ କରିବା ବ୍ୟବସ୍ଥା ତୁରନ୍ତ କରିବା ସହ ପନିପରିବା ଦୋକାନୀ ମାନଙ୍କୁ ସଠିକ୍ ଜାଗାରେ ବ୍ୟବସାୟ କରିବା ନିମନ୍ତେ ଅବସ୍ଥାପନ କରିଲେ ବ୍ୟବସାୟୀ ମାନେ ସୁବିଧା ପାଇପାରିବେ ବୋଲି ଉଠା ଦୋକାନୀ ସଂଘର କାର୍ଯ୍ୟକାରୀ ସଭାପତି ତଥା ସିପିଆଇ ପାର୍ଟିର ଜିଲ୍ଲା ସହ- ସଂପାଦକ ନୀଳକଣ୍ଠ ଦାଶ ଦାବି କରିଛନ୍ତି ।