ବର୍ଷିଆନ ସିପିଆଇ(ଏମ) ନେତା ବାବାଜୀ ପରିଡାଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବରିଷ୍ଟ ସିପିଆଇ(ଏମ) ନେତା ବାବାଜୀ ପରିଡାଙ୍କର ଆଜି ଭୋର ୬ଟାରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ୮୩ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ମାସେ ହେବ ଲିଭର ସୋରିଆସିସ ରୋଗରେ ପିଡିତ ଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ବିଶେଷ କରି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସିପିଆଇ(ଏମ) ର ଅନ୍ୟତମ ପ୍ରତିଷ୍ଠାତା ଓ ସମ୍ପ୍ରସାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ତାଙ୍କ ନେତୃତ୍ୱ ଯୋଗୁଁ ପଟ୍ଟାମୁଣ୍ଡାଇରେ ସିପିଆଇ(ଏମ) ବିଧାୟକ ଜିତିଥିଲେ । ପଟ୍ଟାମୁଣ୍ଡାଇ ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଭୂମିହୀନମାନଙ୍କ ଆନ୍ଦୋଳନ, ଉଠାଦୋକାନୀମାନଙ୍କ ପାଇଁ ଆନ୍ଦୋଳନ, କୃଷକମାନଙ୍କ ପାଇଁ ଆନ୍ଦୋଳନ ଓ ମେଡିକାଲ ପାଇଁ ଆନ୍ଦୋଳନରେ ସେ ମୁଖ୍ୟ ଭୂମିକାରେ ଥିଲେ । ସେ ଥିଲେ ସାଧାରଣ ମଣିଷର ଆଶା ଭରସା । ସେ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟ ଥିଲେ । ସେ ଅବିଭକ୍ତ କଟକ ଜିଲ୍ଲାର ପାର୍ଟିର ସମ୍ପାଦକ ମଣ୍ଡଳୀ ସଭ୍ୟ ଥିଲେ । ପାର୍ଟି ଓ ଜନଗଣଙ୍କ କାମ ଥିଲା ତାଙ୍କ ଦୈନଦିନର କାର୍ଯ୍ୟ । ତାଙ୍କ ମର ଶରୀର କଟକରୁ ଆସିଲା ବେଳେ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ ଦାସ, ଜିଲ୍ଲା ସମ୍ପାଦକ ଗୟାଧର ଧଳ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବରିଷ୍ଠ ସିପିଆଇ(ଏମ) ନେତା ଉମେଶ ଚନ୍ଦ୍ର ସିଂହ, ଜଗତଜୀବନ ଦାଶ, ମାଧବ ଦାସ, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଜୟ ସାମଲ, ସାମ୍ବାଦିକ ଆଶିଷ ସେନାପତି, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ସିପିଆଇ(ଏମଏଲ) ନେତା ବଂଶୀଧର ପରିଡା, ରନ୍ଥଓୟ ମଲ୍ଲିକ, ବାବୁଲୀ ଲେଙ୍କା, ବିଜୟ ଦାସ, ସୋମନାଥ ବିଶ୍ୱାଳ, ରଞ୍ଜନ ନାୟକ, ଧନୁଜୟ ପରିଡା, ଭୀମସେନ ବେହେରା, ଗୁଣମଣୀ ବେହେରା, ବସୁରାମ ସେଠୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକ ପ୍ରକାଶ କରିଥିଲେ । ପାର୍ଟିର ପତାକାକୁ ତାଙ୍କ ମର ଶରୀରରେ ପ୍ରଦାନ କରିଥିଲେ ଜିଲ୍ଲା ସମ୍ପାଦକ ଗୟାଧର ଧଳ । ପରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ତାଙ୍କ ଗ୍ରାମ ନିପଙ୍ଗରେ ମର ଶରୀର ପହଞ୍ଚିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ