ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀଙ୍କ ୮୯ତମ ଜନ୍ମଦିବସ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅତୁଳନୀୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିପ୍ରାଣ, ବଳିଷ୍ଠ ବ୍ୟକ୍ତିତ୍ୱ, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳୀର ପ୍ରତିଷ୍ଠାତା, ବିଚ୍ଛିନ୍ନାଞ୍ଚଳର ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାରକ ବରେଣ୍ୟ ପର୍ଶୁରାମ ଦ୍ୱିବେଦୀଙ୍କ ୮୯ତମ ଶୁଭ ଜନ୍ମଦିବସ ସ୍ଥାନୀୟ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସମଣ୍ଡଳୀର ସଭାପତି ସୀତାବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ନାଗରିକ ମହାମଞ୍ଚ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରେଣ୍ୟ ଦ୍ୱିବେଦୀଙ୍କ ୮୯ତମ ଜନ୍ମଦିବସ ଅବସରରେ ଶୁଭ କାମନା ଜଣାଇବା ସହିତ ତାଙ୍କ ସାରସ୍ୱତ ଜୀବନ ଆଜିର ଯୁବପିଢ଼ୀଙ୍କୁ ମାର୍ଗଦର୍ଶନ କରିବ ବୋଲି ମତବ୍ୟକ୍ତ କରିବା ସହିତ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ତଥା ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷା ରୂପେ ମାନ୍ୟତା ଦେବାରେ ସେ ମୁଖ୍ୟ କାଣ୍ଡାରୀ ଅଟନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ପ୍ରତ୍ୟେକ ଓଡ଼ିଆଙ୍କ ଆଦର୍ଶ, ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ତଥା ମହାପୁରୁଷ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯନ୍ତ୍ରୀ ଗଣେଶ ପ୍ରସାଦ ପଣ୍ଡା, ନାଟ୍ୟକାର ବିଜୟ କୁମାର ମହାନ୍ତି, ପ୍ରଫେସର ଡଃ ଶରତ ରଥ, କବି ରମାକାନ୍ତ ମିଶ୍ର ତଥା ବହୁ ସାରସ୍ୱତ ବ୍ୟକ୍ତିତ୍ୱ ଉପସ୍ଥିତ ରହି ତାଙ୍କ ଦୀର୍ଘ, ସୁସ୍ଥ, ନିରାମୟ ଜୀବନ କାମନା କରିବା ସହିତ ଭାଷାବିତ୍ ଦେବାଶିଷ ମହାପାତ୍ର, ରବିନ୍ଦ୍ର କୁମାର ମିଶ୍ରଙ୍କ ସହିତ ପ୍ରମୁଖଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉଷା ମହାନ୍ତି, ବି. ମୂରଲୀଧର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।