ବର୍ଷୀୟାନ ସଙ୍ଗୀତ ସାଧକ କୈଳାସ ଚନ୍ଦ୍ର ପତିଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :-ପଲୀକବି କୃଷ୍ଣ ପ୍ରସାଦ ବେହେରାଙ୍କର ପ୍ରିୟ ଛାତ୍ରଭାବରେ ଅଭଣାର ବାଞ୍ଛାନିଧି ଅଗସ୍ତିଙ୍କ ଦ୍ୱାରା ପରିଚାଳିତ ନବୀନ ନାଟ୍ୟମଣ୍ଡଳୀରେ ସଙ୍ଗୀତ ଜୀବନ ଆରମ୍ଭ କରିଥିବା କୈଳାଶ ଚନ୍ଦ୍ର ପତି ୯୭ ବର୍ଷରେ ପଦାର୍ପଣ କଲେ ମଧ୍ୟ ସଙ୍ଗୀତପ୍ରତି ଅନୁରକ୍ତି ଊଣା ହୋଇନାହିଁ । ତାଙ୍କ ନିର୍ଦ୍ଦେଶିତ ଏଇ ମୋ ପଲ୍ଲୀ ଗାଆଁରେ ଚାହାଁ ଏଇ ମୋ ପଲ୍ଲି ଗାଆଁ, ଆ’ରେ ଫେରି ଆ, ବୁଲୁଛୁ କିଆଁ ବଣା ବାଟୋଇ କିମ୍ବା ଫୁଲ ଫୁଲ ବସନ୍ତେ ଇତ୍ୟାଦି ସଙ୍ଗୀତ ଆଜି ପର୍ଯ୍ୟନ୍ତ ପଲ୍ଲୀ ପ୍ରାଣକୁ ଉଦ୍ବେଳିତ କରୁଛି । କୈଳାଶ ମାଷ୍ଟ୍ରେ ବଂଶୀ ଓ ତବଲାରେ ସୁର ଧରିଲେ ଓଡ଼ିଶାର ବହୁ ବିଖ୍ୟାତ ଯାତ୍ରା ଓ ଗଣନାଟ୍ୟରେ ଚହଳ ପଡ଼ିଯାଉଥିଲା । ଜୀବନର ସଞ୍ଜରେ ଉପନୀତ ହୋଇଥିବା ସେହି ବର୍ଷୀୟାନ କଳାକାରଙ୍କୁ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଅଭଣାର ବ୍ରହ୍ମାଣୀ ମନ୍ଦିର ପ୍ରାଙ୍ଗଣରେ ଅରୁଣା ରାୟଙ୍କ ସଭାପତିତ୍ୱରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ତାଙ୍କ ସାଧନା ସହିତ ଘନିଷ୍ଠଭାବରେ ଜଡ଼ିତଥିବା ଖରାସାହାପୁରର ସୁଧାକର ନାୟକ ଓ ସୁଲେଖକ ଭାସ୍କର ଅଗସ୍ତି ଶ୍ରୀ ପତିଙ୍କ ନିର୍ଦ୍ଦେଶିତ ପ୍ରସିଦ୍ଧି ଲାଭ କରିଥିବା ଅନେକ ନୃତ୍ୟନାଟିକା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ବକ୍ତା ଭାବରେ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଗବେଷକ ଡ.ଶିରୀଶଚନ୍ଦ୍ର ଜେନା, ଔପନ୍ୟାସିକ ନିବାରଣ ଜେନା, ଲେଖକ ପ୍ରଦୀପ ଚାଟ୍ଟାର୍ଜୀ, ବ୍ୟଙ୍ଗକାର ଦୀପକ ବୋଷ ଯୋଗଦେଇ ଶ୍ରୀ ପତି ତିଆରି କରିଥବା କିଛି ବାଦ୍ୟବୃନ୍ଦ ସମ୍ପର୍କରେ ସୂଚନା ଦେଇଥିଲେ ଓ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ତାଙ୍କର ଆଶିଷ ବଳରେ ଭବିଷ୍ୟତର ସଙ୍ଗୀତକାରମାନେ ସୁସଂସ୍କୃତ ହେବାର ଆଶା ପୋଷଣ କରିଥିଲେ । ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ମିଳିତ ଭାବେ ଶ୍ରୀ ପତିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଗୌରଚନ୍ଦ୍ର ନାୟକ ସଂଗୀତର ତାଳେ ତାଳେ ଅତିଥିମାନଙ୍କୁ ମଞ୍ଚାସୀନ କରାଇଥିଲେ । ଧୀରେନ୍ଦ୍ର କୁମାର ପତିଙ୍କର ନିର୍ଦ୍ଦେଶନାରେ ସସ୍ମିତା ଶତପଥୀ, ଆଶାରଶ୍ମୀ ଲେଙ୍କା ଓ ଗୋପାଳକୃଷ୍ଣ ପଣ୍ଡା ସଂଗୀତ ପରିବେଷଣ କରିଥିଲେ । ସୃଷ୍ଟିଧର ତ୍ରିପାଠୀ, କୈଳାଶଚନ୍ଦ୍ର ନାୟକ, ଆଶୁତୋଷ ନାୟକ, ବାସୁଦେବ ବେହେରା ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥଲେ । ଅଜୟ କୁମାର ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କମଧ୍ୟରେ ଶଶିଭୂଷଣ ବେହେରା, ହରିହର ତ୍ରିପାଠୀ, ଜଗଦୀଶ୍ୱର ପଣ୍ଡା, ଗୌରାଙ୍ଗ ନାୟକ, ବିନୟ ଦାସ, ଶରତ ଚନ୍ଦ୍ର ପଣ୍ଡା, ଦୟାନିଧି ମାଝୀ, ଅର୍ଜ୍ଜୁନ ମାଝୀ, ଅନନ୍ତ ଚରଣ ପାଣିଗ୍ରାହୀ, ଚିନ୍ତାମଣି ଦାଶ, ରମାକାନ୍ତ ମାଝୀ, କାଳନ୍ଦ୍ରୀ ବେହେରା, ମୁକ୍ତିକାନ୍ତ ସ୍ୱାଇଁ, ରଘୁନାଥ ବେହେରା, ଅଧ୍ୟାପକ ଭଗବାନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।