ବର୍ଷେ ଯାଏ ଦରମାର ୩୦% ଅର୍ଥ ଦାନ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ଷେ ଯାଏ ନିଜ ଦରମାର ୩୦% ଅର୍ଥ ଦାନ କରିବେ । ଗୁରୁବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରାଷ୍ଟ୍ରପତି ପାରମ୍ପରିକ ସମାରୋହ ସମୟରେ ବ୍ୟବହାର ହେଉଥିବା ଲିମୋଜିନ( କାର) କିଣିବାର ପ୍ରସ୍ତାବକୁ ସ୍ଥଗିତ ରଖାଯାଇଛି । କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଭବନରେ କର୍ମଚାରୀମାନଙ୍କୁ ଖର୍ଚ୍ଚ କମ୍ କରିବା ଏବଂ ବଳକା ଅର୍ଥକୁ କୋଭିଡ-୧୯ ବିରୋଧରେ ଲଢେ଼ଇ ପାଇଁ ପ୍ରଦାନ କରିବାକୁ କୁହାଯାଇଛି । ଏହା ବ୍ୟତୀତ କୋଭିଡ-୧୯ ସଂକଟ ଯୋଗୁଁ ରାଷ୍ଟ୍ରପତି ଭବନରେ ହେଉଥିବା ସମାରୋହ, ଭୋଜିରେ ଅତିଥିଙ୍କ ସଂଖ୍ୟା ହ୍ରାସ, ଫୁଲର ବ୍ୟବହାରକୁ କମ କରିବା, ସାଜସଜ୍ଜା ଓ ବ୍ୟାନର ତାଲିକାକୁ କମାଇବା ନେଇ ସିଦ୍ଧାନ୍ତ ନିଆଯାଇଛି । ସେହିପରି ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ଖର୍ଚ୍ଚ କମ୍ କରିବା ଲାଗି ରାଷ୍ଟ୍ରପତି ଘରୋଇ ଯାତ୍ରାରେ କାଟଛାଣ୍ଟ କରିବା ଏବଂ କମ୍ କାର୍ଯ୍ୟକ୍ରମରେ ଭାଗ ନେବାକୁ ସ୍ଥିର କରିଥିବା କୁହାଯାଇଛି ।


